କନକ ବ୍ୟୁରୋ: ଘରେ ରୋଷେଇ କରି ଖାଇବା ଦେହ ପାଇଁ ହିତକର, ଏହାଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ । କିନ୍ତୁ ଏହାକୁ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି ତାହା ଶୁଣିଲେ ଆପଣଙ୍କ ନିଦ ହଜିଯିବ । ରୋଷେଇ କରିବା ସମୟରେ ସଂସ୍ପର୍ଶରେ ଆସୁଥିବା ଚୁଲାର ଧୂଆଁ ମହିଳାଙ୍କ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି । ଏଥିଯୋଗୁ ମହିଳା ମାନଙ୍କୁ ଫୁସ୍‌ଫୁସ୍‌ କର୍କଟ ଭଳି ମାରାତ୍ମକ ରୋଗର ଶିକାର ହେବାକୁ ପଡୁଥିବା ଏକ ଗବେଷଣାରେ ଜଣାପଡ଼ିଛି । 

ରାସ୍ତାକଡ଼ର ଠେଲାଗାଡ଼ି ହେଉ କି ହୋଟେଲ ଅବା ବଡ଼ ବଡ଼ ରେଷ୍ଟୁରାଣ୍ଟ । ଏସବୁରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ତେଲ, ମସଲାର ମାତ୍ରା ଅଧିକ । ତେଣୁ ଘରେ ନିଜ ହାତରେ ରୋଷେଇ କରି ନିଜେ ଖାଇବା ସହ ଅନ୍ୟକୁ ଖାଦ୍ୟ ପରସିବାକୁ ସମସ୍ତେ ପସନ୍ଦ କରିଥାଆନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ହିତକର ମଧ୍ୟ, ତେବେ ନିକଟରେ ଏହାକୁ ନେଇ ହୋଇଥିବା ଏକ ଗବେଷଣାରୁ ସାମ୍ନାକୁ ଆସିଛି ଚିନ୍ତା କଲାଭଳି ତଥ୍ୟ । ରିପୋର୍ଟ ଅନୁଯାୟୀ, ରୋଷେଇ ସମୟରେ ବ୍ୟବହୃତ ତେଲ ପୋଡ଼ିବା ଦ୍ଵାରା ସେଥିରୁ କାର୍ବନ ଡାଇଅକ୍ସାଇଡ୍‌ ସମେତ କାର୍ବନ ମନୋକ୍ସାଇଡ୍‌, ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ଭଳି ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥାଏ । ଯେଉଁଥିରେ ମାରାତ୍ମକ ରୋଗ ସୃଷ୍ଟିକାରୀ ଉପାଦାନ ଗୁଡ଼ିକ ରହିଥାଏ । ଏହି ସବୁ ବିଷାକ୍ତ କଣିକା ପ୍ରଶ୍ବାସ ମାଧ୍ୟମରେ ଶରୀରକୁ ଯାଇ ଫୁସ୍‌ଫୁସ୍ କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ । 

Advertisment

ଆଜିର ଦିନରେ ଫୁସଫୁସ୍ କର୍କଟ ବିଶ୍ୱରେ ଏକ ପ୍ରମୁଖ ରୋଗ ଭାବେ ମୁଣ୍ଡ ଟେକିଛି । ଭାରତରେ ବି ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ରୋଗୀ ଏହି ମାରାତ୍ମକ ରୋଗରେ ପୀଡ଼ିତ ହେଉଛନ୍ତି । ସାଧାରଣତଃ ସିଗାରେଟ ଧୂଆଁ ଏବଂ ବାୟୁ ପ୍ରଦୂଷଣ ଦ୍ଵାରା ଫୁସ୍‌ଫୁସ୍‌ କର୍କଟ ହୋଇଥାଏ ବୋଲି ଲୋକଙ୍କ ମନରେ ଧାରଣା ରହିଛି । ଏସବୁ ବାଦ୍ ରୋଷେଇ ଧୂଆଁରୁ ଫୁସଫୁସ୍ କର୍କଟ ହେବାର ୭୨ ପ୍ରତିଶତ ସମ୍ଭାବନା ରହିଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲ୍ଥର ଗବେଷଣାରୁ ସ୍ପଷ୍ଟ ହୋଇଛି । କାଶ ଲାଗି ରହିବା, କାଶରେ ରକ୍ତ ପଡ଼ିବା, ଛାତିରେ ଯନ୍ତ୍ରଣା ଅନୁଭୂତ ହେବା, ଲଗାତାର ଓଜନ ହ୍ରାସ ହେବା, ଧଇଁସଇଁ ଲାଗିବା ହେଉଛି ଫୁସ୍‌ଫୁସ୍ କର୍କଟର ଲକ୍ଷଣ । ରୋଷେଇ ସମୟରେ ଝରକା ଖୋଲା ରଖିବା ସହ କିଚେନ୍‌ ରୁମ୍‌ରେ ଏଗ୍‌ଜଷ୍ଟ୍‌ ଫ୍ୟାନ୍‌ ଲଗାଇବା ଦ୍ୱାରା ଫୁସ୍‌ଫୁସ୍ କର୍କଟର ଆଶଙ୍କାକୁ କିଛି ମାତ୍ରାରେ ଏଡ଼ାଇ ଦିଆଯାଇପାରେ ।