କନକ ବ୍ୟୁରୋ : ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଓ ଅନ୍ୟ ସଦସ୍ୟ ଦାୟିତ୍ୱରେ ଅଛନ୍ତି ନା ନାହିଁ ସେ ନେଇ ଆରମ୍ଭ ହୋଇଛି ବିବାଦ । ପ୍ରାୟ ଦୁଇ ସପ୍ତାହ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମେସେଜ୍ ଜରିଆରେ କମିଶନଙ୍କୁ ଭାଙ୍ଗି ଦିଆଗଲା ବୋଲି ସୂଚନା ଦିଆଯାଇଥିଲା । ହେଲେ, ଏବେ ବି କାର୍ଯ୍ୟ ଜାରି ରଖିଛନ୍ତି କମିଶନ ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ଓ ଅନ୍ୟ ସଦସ୍ୟଙ୍କୁ ପଦବୀରୁ ବରଖାସ୍ତ କରାଗଲା ବୋଲି ମେସେଜ୍ ଜରିଆରେ ସୂଚନା ଦିଆଯାଇଥିଲା । ଓଡିଶା ଆକ୍ଟ-୧୯୯୪ର ଧାରା ୩ରେ ଦିଆଯାଇଥିବା କ୍ଷମତାକୁ ଉପଯୋଗ କରି ସରକାର ଏହି ପଦକ୍ଷେପ ନେଇଥିଲେ ।

ତା’ପରେ କାର୍ଯ୍ୟକାଳ ଭିତରେ କ୍ୟାମ୍ପ କୋର୍ଟ ଓ ମାମଲା ଶୁଣାଣି ସନ୍ତୋଷଜନକ ନୁହେଁ ବୋଲି ଦର୍ଶାଇ ମୀନତିଙ୍କୁ କାରଣ ଦର୍ଶାଅ ନୋଟିସ ବି ଦିଆଯାଇଥିଲା । ହେଲେ ଏହା ମଧ୍ୟରେ ୧୫ ଦିନ ବିତିଥିଲେ ବି ମୀନତି ବେହେରା ମହିଳା କମିଶନ ଅଧ୍ୟକ୍ଷା ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ଏହାକୁ ନେଇ ନୂଆ ବିବାଦକୁ ସୃଷ୍ଟି ହୋଇଛି ।

ସାଧାରଣ ଭାବେ କମିଶନର ଅଧ୍ୟକ୍ଷା ଓ ସଦସ୍ୟାଙ୍କ କାର୍ୟ୍ୟକାଳ ୩ ବର୍ଷ ରହିଥାଏ । ଏହା ପୂର୍ବରୁ ସେମାନଙ୍କୁ ବରଖାସ୍ତ କରିଛନ୍ତି ସରକାର । ସରକାର ପରିବର୍ତ୍ତନ ପରେ ସମସ୍ତ ନିଗମ ଓ ବୋର୍ଡକୁ ଭାଙ୍ଗି ଦେଇଥିଲେ ସରକାର । କିନ୍ତୁ ମହିଳା କମିଶନଙ୍କୁ ହଟାଯାଇନଥିଲା । ସେପଟେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା କହିଛନ୍ତି, ବରଖାସ୍ତର କୌଣସି ନିର୍ଦ୍ଦେଶନାମା ତାଙ୍କୁ ମିଳିନାହିଁ । ୩ ବର୍ଷ କାର୍ୟ୍ୟକାଳ ପୂରଣ  ପୂର୍ବରୁ ପଦରୁ ହଟାଇବା ଆଇନସଙ୍ଗତ ନୁହେଁ । କାରଣ ଦର୍ଶାଅ ନୋଟିସର ଜବାବ ସେ ଦେଇସାରିଛନ୍ତି ।

ଏବେ ପ୍ରଶ୍ନଉଠୁଛି, ସରକାରୀ ନିଷ୍ପତ୍ତି ତରବରିଆ ଥିଲା କି ? କାର୍ୟ୍ୟକାଳ ସରିବା ପୂର୍ବରୁ ବରଖାସ୍ତ ଆଇନସମ୍ମତ କି ? ସରକାରୀ ନିର୍ଦ୍ଦେଶନାମା କାହିଁକି କାର୍ଯ୍ୟକାରୀ ହୋଇପାରୁନି ? ୨୦୨୨ ଅକ୍ଟୋବରରେ ତତକାଳୀନ ବିଜେଡି ସରକାର ମିନତି ବେହେରାଙ୍କୁ ଦ୍ୱିତୀୟ ଥର ଲାଗି ମହିଳା କମିଶନ ଅଧ୍ୟକ୍ଷା ଭାବେ ଥଇଥାନ କରିଥିଲେ । ଏବେ ୧୫ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ନିର୍ଦ୍ଦେଶନାମା କାର୍ୟ୍ୟକାରୀ ନ ହେବା ସରକାରଙ୍କୁ ବି ଅଡୁଆରେ ପକାଇଛି ।