କନକ ବ୍ୟୁରୋ :  କେବେ ଭାଇ-ଭାଇ, କେବେ ବିବାଦ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସଲା ମୁଖ୍ୟ ଏଲନ ମସ୍କଙ୍କ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି । ବିବାଦର କାରଣ ହେଉଛି ଟ୍ରମ୍ପ ବିୟୁଟିଫୁଲ ବିଲ୍ । ଏହାକୁ ନେଇ କାହିଁକି ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖାଦେଇଛି । ଟେସଲା ମୁଖ୍ୟ ଏଲନ ମସ୍କଙ୍କୁ ଦକ୍ଷିଣ ଆଫ୍ରିକା ଫେରିଯିବାକୁ ରୋକଠୋକ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ । ଏହି ବିବାଦ ଦେଖାଦେଇଛି ବିଗ୍ ବିୟୁଟିଫୁଲ ବିଲକୁ ନେଇ । ଯାହାକୁ ଜୋରଦାର ବିରୋଧ କରୁଛନ୍ତି ଟେସଲା ମୁଖ୍ୟ । ସେ କହିଛନ୍ତି, ଏହି ବିଲ୍ ଆମେରିକାବାସୀଙ୍କ ପାଇଁ ଯଦିଓ ଲାଭଦାୟକ ଓ କିନ୍ତୁ ପ୍ରବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ ।

Advertisment

ଆମେରିକାବାସୀଙ୍କୁ ଟ୍ରମ୍ପ ଦେଇଥିବା ଏକାଧିକ ପ୍ରତିଶ୍ରୁତିକୁ ଏହି ଗୋଟିଏ ମାତ୍ର ବିଲ ଜରିଆରେ ଲାଗୁ କରିବାକୁ ଯାଉଛନ୍ତି । ବିଲକୁ ବିରୋଧ କରି ଆମେରିକା ରାଷ୍ଟ୍ରପତିଙ୍କୁ ପାଗଳ କହିବାକୁ ପଛାଇ ନାହାନ୍ତି ଏଲନ ମସ୍କ । ଏପରିକି ନୂଆ ରାଜନୈତିକ ଦଳ ଗଠନ ପାଇଁ ମଧ୍ୟ ଧମକ ଦେଇଛନ୍ତି । ଏଥିରେ ପ୍ରତିକ୍ରିୟା ରଖି ଟ୍ରମ୍ପ କହିଛନ୍ତି, ମସ୍କ ଜଣେ ସ୍ବାର୍ଥପର ମଣିଷ । ତେବେ ଜାଣିବା କ’ଣ ଏହି ବିଲ୍, ଯାହାକୁ ନେଇ ଦୁଇବନ୍ଧୁ ଏବେ ଶତ୍ରୁ ପାଲଟିଛନ୍ତି । 

ବିଗ୍ ବିୟୁଟିଫୁଲ୍ ବିଲ୍ କ'ଣ?

- ଟ୍ରମ୍ପଙ୍କ ଏଜେଣ୍ଡା ଏବଂ ତାଙ୍କ ନିର୍ବାଚନ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ପାଇଁ ବିଗ୍ ବିୟୁଟିଫୁଲ୍ ବିଲ୍ ଅଣାଯାଇଛି 
- ଟିକସ ହ୍ରାସ, ସୀମା ସୁରକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ଏବଂ କିଛି ସରକାରୀ କାର୍ଯ୍ୟକ୍ରମକୁ ହ୍ରାସ କରିବାକୁ ଲକ୍ଷ୍ୟ
- ଏହି ବିଲ୍‌ର ଅର୍ଥନୈତିକ ଏବଂ ସାମାଜିକ ପ୍ରଭାବ ବିଷୟରେ ବହୁତ ବିତର୍କ ଚାଲିଛି 
-ଏହି ବିଲ୍ ମାଧ୍ୟମରେ ୨୦୧୭ରେ ଲାଗୁ ହୋଇଥିବା ଟିକସ ହ୍ରାସ ଆହୁରି ବିସ୍ତାର ହେବ
-ଏହି ବିଲରେ ୪.୫ ଟ୍ରିଲିଅନ ଡଲାର ଖର୍ଚ୍ଚର ବ୍ୟବସ୍ଥା 
- ସେନା, ସୀମା ସୁରକ୍ଷା ଏବଂ ଅବୈଧ ପ୍ରବାସୀଙ୍କୁ ନିର୍ବାସନ ପାଇଁ ବଜେଟର୍ ଅଧିକ ଖର୍ଚ୍ଚ  

ରାଷ୍ଟ୍ରପତି ଟ୍ରମ୍ପଙ୍କର ମସ୍କ ଜଣେ ଦୃଢ଼ ସମର୍ଥକ ଥିଲେ । ଏବେ  ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି । ନିର୍ବାଚନ ଜିତିବା ପରେ  ଏଲନ୍ ମସ୍କଙ୍କୁ ଟ୍ରମ୍ପ୍ ରାଜ୍ୟ ଖର୍ଚ୍ଚ ବିଭାଗ ବା ଡଗର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ । ବିବାଦ ବଢ଼ିବା ପରେ ମସ୍କ ଏହି ପଦବୀରୁ ଇସ୍ତଫା ଦେଇଥିଲେ । ସେବେଠାରୁ ମସ୍କ ଖୋଲାଖୋଲି ଭାବରେ ଟ୍ରମ୍ପଙ୍କ ନୀତି ଉପରେ ପ୍ରଶ୍ନ ଉଠାଉଛନ୍ତି ।