କନକ ବ୍ୟୁରୋ : ସ୍କୁଲ ପୋଷାକ ବିତରଣରେ ଚଞ୍ଚକତା । ବ୍ଲକ ସ୍ତରରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଣ ଦାୟିତ୍ବ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । କେନ୍ଦ୍ରାପଡ଼ା ଆଳି ବ୍ଲକର ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଭେଣ୍ଡର ଚୟନରେ ର୍ଦୁନୀତି କରାଯାଉଥିବା ଅଭିଯୋଗ ଆଣିଛନ୍ତି ଏସଏଚଜି ମହିଳା । ପୋଷାକ ବିତରଣର ଦାୟିତ୍ୱର ୮୦ଭାଗ ଘରୋଇ କମ୍ପାନୀକୁ ଦିଆଯାଉଛି ।
ଆଳି ବ୍ଲକରେ ସ୍କୁଲପିଲାଙ୍କ ପୋଷାକ ଓ ଜୋତା ବଣ୍ଟନରେ ବ୍ଲକ ପ୍ରଶାସନର ମନମାନି । ସରକାରୀ ନିୟମ ବାହାରକୁ ଯାଇ, ପୋଷାକ ବିତରଣ ଦାୟିତ୍ୱ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ନିୟମ କହୁଛି, ବିଦ୍ୟାଳୟ ଗୁଡ଼ିକୁ ପୋଷାକ ଯୋଗାଇବା କାମ କରିବେ ମିଶନ ଶକ୍ତି ମହିଳା । ହେଲେ ଆଳିରେ ମିଶନ ଶକ୍ତି ବଦଳରେ ଘରୋଇ କମ୍ପାନୀ ଓ ବସ୍ତ୍ରାଳୟକୁ ପୋଷାକ ବିତରଣ ଦାୟିତ୍ୱ ଦିଆଯାଇଛି ।
ଶିକ୍ଷା ବିଭାଗର ଦୁଇଟି ଚିଠି ହିଁ ଏହା ସ୍ପଷ୍ଟ କରିଛି । ଚିଠିରେ ଦର୍ଶାଯାଇଛି, ଗତବର୍ଷ ସେପ୍ଟେମ୍ବରରେ ପୋଷାକ ଯୋଗାଇବା ପାଇଁ ବ୍ଲକ ପକ୍ଷରୁ ୧୯ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଚୟନ କରାଯାଇଥିଲା । ଏନେଇ ଜିଲ୍ଲା ଶିକ୍ଷା ବିଭାଗକୁ ଚିଠି ମଧ୍ୟ ଲେଖା ଯାଇଥିଲା । କିନ୍ତୁ ଜିଲ୍ଲା ଶିକ୍ଷା ବିଭାଗ ଜାରି କରିଥିବା ଚୂଡ଼ାନ୍ତ ତାଲିକାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜିଲ୍ଲା ଶିକ୍ଷା ବିଭାଗ ଓ ବ୍ଲକ ପକ୍ଷରୁ ପ୍ରସ୍ତୁତ ତାଲିକାରେ ତାଳମେଳ ରହୁନାହିଁ ।
ଆଳି ବ୍ଲକର ୧୮୪ଟି ବିଦ୍ୟାଳୟରେ ପ୍ରାୟ ୧ଲକ୍ଷ ୪୦ହଜାର ଛାତ୍ରଛାତ୍ରୀ ଅଛନ୍ତି । ୨ ହଜାର ପିଲାଙ୍କ ପାଇଁ ପୋଷାକ ଯୋଗାଇବା ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳିଛି । ସେପଟେ ସାମଲ ଏଣ୍ଟରପ୍ରାଇଜର୍ସକୁ ୭୭ଟି ଏବଂ ଶ୍ରୀମନ୍ଦିର ବସ୍ତ୍ରାଳୟକୁ ୬ଟି ସ୍କୁଲ ପିଲାଙ୍କ ପାଇଁ ୟୁନିଫର୍ମ ଯୋଗାଇବା ଦାୟିତ୍ୱ ଦିଆଯାଇଛି । ଏହାକୁ ବିରୋଧ କରି ଆଳି ମଣ୍ଡଳ ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ବିଭିନ୍ନ ଏସଏଚଜି ଗୋଷ୍ଠୀର ସଦସ୍ୟମାନେ ।
ତୁରନ୍ତ ଏହି ଘଟଣାର ତଦନ୍ତ କରି ଏଭଳି ଆଦେଶକୁ ରଦ୍ଦ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।