କନକ ବ୍ୟୁରୋ: ବିଜେଡି ଅଫିସ ଶଙ୍ଖଭବନକୁ ନେଇ ପୁଣି ବିବାଦ । ଦଳୀୟ ଅଫିସରେ ବେଆଇନ ଭାବେ ହୋଟେଲ ଚାଲିଥିବା ଅଭିଯୋଗ ଆଣି ଘେରିଛି ବିଜେପି । ଜବାବରେ ଶାସକ ଦଳ ନେତାଙ୍କୁ ହୋଟେଲରେ ଖାଇବାକୁ ଡାକିଛନ୍ତି ଅରୁଣ ସାହୁ।
ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖଭବନର ଏକ ଭିଡିଓ ଦେଖାଇ ବର୍ଷିଛନ୍ତି ବିଜେପି ନେତା । ଦଳୀୟ କାର୍ଯ୍ୟ ବଦଳରେ ହୋଟେଲ ଖୋଲି ବ୍ୟବସାୟ ଚାଲିଥିବା କହି ସମାଲୋଚନା କରିଛନ୍ତି ଜଗନ୍ନାଥ ପ୍ରଧାନ। କହିଛନ୍ତି, ଯେଉଁ ଉଦ୍ଦେଶ୍ୟରେ ସରକାରୀ ଜମି ଦିଆଯାଇଥିଲା, ତାହା ନକରି ବେଆଇନ ଭାବେ ଅନ୍ୟ କାମ କରାଯାଉଛି। କର୍ପୋରେଟ୍ ଚାନ୍ଦା ବନ୍ଦ ହେବା ପରେ ବିଜେଡି ହୋଟେଲ ଖୋଲି ବେପାର କରୁଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥ। ଏଥିସହ ସେହି ଜମି ଫେରାଇ ଆଣିବାକୁ ଦାବି କରିଛନ୍ତି ।
ତେବେ ଭିଡିଓ ଦେଖାଇ ବିଜେପି ନେତା ସମାଲୋଚନା କରିବା ପରେ, କଡା ଜବାବ ରଖିଛି ବିଜେଡି। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଶଙ୍ଖଭବନରେ ବିଜେଡି କାର୍ଯ୍ୟାଳୟ ଚାଲିଛି। ନିୟମିତ ବୈଠକ ବସୁଛି । ରାଜ୍ୟର ଦୂର ଦୂରାନ୍ତରୁ ବିଜେଡି ନେତା, କର୍ମୀ ଓ ସାଧାରଣ ଲୋକ ଆସୁଛନ୍ତି। ସେମାନଙ୍କ ପାଇଁ କ୍ୟାଣ୍ଟିନ ଖୋଲାଯାଇଛି। ଏଥିରେ କିଛି ଅସୁବିଧା ନାହିଁ। ହେଲେ, କ୍ଷମତାକୁ ଆସିବା ପରେ ବିଜେପି ପ୍ରଶାସନ ଉପରେ ଗୁରୁତ୍ବ ନଦେଇ, ବିଜେଡି କଥାରେ ମୁଣ୍ଡ ଖେଳାଇ ଅଯଥା ପ୍ରସଙ୍ଗ ଉଠାଉଛି ।
ସୂଚନାଯୋଗ୍ୟ ଯେ, ବିଜେଡିକୁ ୨୦୦୧ ମସିହାରେ ଶଙ୍ଖଭବନ ପାଇଁ ଭୁବନେଶ୍ବର ଗଙ୍ଗନଗରରେ ସରକାରୀ ଜମି ଦିଆଯିବା ପରଠାରୁ ବିବାଦ ମୁଣ୍ଡ ଟେକିଛି। ୧.୧୮୩ ଏକର ଜମିକୁ ବିଜେଡି ୧୨.୩୮ କୋଟି ଟଙ୍କାରେ ନେଇଥିଲା। ଯାହାର ବଜାର ମୂଲ୍ୟ ୧୦୦ କୋଟିରୁ ଅଧିକ ଟଙ୍କା ହେବ। ସେହିପରି ରାସ୍ତା ନିର୍ମାଣ ପାଇଁ ଉଦ୍ଦିଷ୍ଟ ଜାଗାରେ ଶଙ୍ଖଭବନରେ ନିର୍ମାଣ ହୋଇଥିବା ଅଭିଯୋଗ ରହିଛି।