କନକ ବ୍ୟୁରୋ : ପୂଜା ସୁରୁଖୁରୁରେ ସରିଲା । କିନ୍ତୁ ଭୁବନେଶ୍ୱରରେ ଭସାଣକୁ ନେଇ କେଁ ପଶିଛି । ଫଳରେ ସହିଦନଗର ପୂଜା କମିଟି ଭାଗ ଭାଗ ହୋଇଛି ।  ଭସାଣ ବେଳେ ଡିଜେ ଗାଡିକୁ ବନ୍ଦ କରିଦେଇଛି ପ୍ରଶାସନ । ଫଳରେ ଆଗାମୀ ବର୍ଷରୁ ଅଲଗା କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି ଷ୍ଟେସନ ବଜାର ସମେତ କିଛି ପୂଜା କମିଟି । 
 
ମଣ୍ଡପରୁ ଉଠିଯାଇଥିଲେ ଦେବୀ । ରାସ୍ତା ଉପରେ ମାଙ୍କୁ ମେଲାଣି ପାଇଁ ସରିଥିଲା ସବୁ ପ୍ରସ୍ତୁତି । ପୂଜା କମିଟି ସହ ଡିଜେ ଗାଡି ବି ପ୍ରସ୍ତୁତ ହୋଇ ରହିଥିଲା । ଲକ୍ଷାଧିକ ଟଙ୍କା ଦେଇ  ଡିଜେ ଅର୍ଡର କରିଥିଲେ ପୂଜା କମିଟି । ଡିଜେ ବଜାଇବାକୁ ହାଇକୋର୍ଟ ଅନୁମତି ଦେଇଥିଲେ ।  ହେଲେ ପ୍ରଶାସନ କିନ୍ତୁ ସବୁ ବିଗାଡିଦେଲା । ଶେଷ ମୂହୂର୍ତରେ ଆଇନର ପାଠ ପଢାଇଲା ପୁଲିସ ।  ୬୫  ଡେସିବଲ ଉପରକୁ  ଡିଜେ ବାଜିପାରିବ ନାହିଁ ବୋଲି କହି ଡିଜେ ବାଜିବା ପୂର୍ବରୁ ଗାଡିକୁ ବନ୍ଦ କରିଦିଆଗଲା ।  ଏହାକୁ ନେଇ ପୂଜା କମିଟି ଦୁଇଫାଳ ହୋଇଯାଇଛି । ରାଜଧାନୀର ୩ଟି ପୂଜା କମିଟି ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

Advertisment

ଡିଜେ କେଁ  ଭାଇଭାଗ ଭଳି ପୂଜା କମଟିକୁ ବିଭାଜନମୁହାଁ କରିଛି । ସେମାନେ କହିଛନ୍ତି, ଶେଷ ମୂହୂର୍ତରେ ପଶିଥିବା ରାଜନୀତି ଯୋଗୁଁ ୭୦ ବର୍ଷର ପରମ୍ପରା ଭାଙ୍ଗିଗଲା । ଏବେ ପଳାଶୁଣି, ଷ୍ଟେସନ ବଜାର ଓ ବମିଖାଲ ଭଳି ୧୦ରୁ ଅଧିକ ପୂଜା କମିଟି ସହିଦ ନଗର ପୂଜା କମିଟି ଠାରୁ ଅଲଗା ହୋଇଛନ୍ତି । ସିଧାସିଧା ଶୁଣାଇଛନ୍ତି ଏବେଠୁ  ଆମେ ନିଜ ହିସାବରେ ଭସାଣ କରିବେ । ସେପଟେ ଡିସିପି କହିଛନ୍ତି, ପୁଲିସ ଡିଜେ ବଜାଇବାକୁ ମନା କରିନାହିଁ । କିନ୍ତୁ ହାଇକୋର୍ଟ ନିୟମ ଉଲ୍ଲଙ୍ଘନ କଲେ ପୂଜା କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଡିଜେ କଟଣାକୁ ନେଇ ଭସାଣରେ ପୂଜା କମିଟି ଭାଗ ଭାଗ ହେବା ଆଗକୁ ବିବାଦ ବଢାଇବା ସମ୍ଭାବନା ରହିଛି ।