କନକ ବ୍ୟୁରୋ : ପ୍ରଥମେ ଦୀଘାରେ ଜଗନ୍ନାଥ ଧାମ ନାଁ ବ୍ୟବହାରକୁ ନେଇ ବିବାଦ ଦେଖାଦେଇଥିଲା । ଆଉ ତାକୁ ବଳିଗଲା ଏବେ ଦୀଘାକୁ ପୁରୀରୁ ଦାରୁ ନିଆଯିବା ପ୍ରସଙ୍ଗ । ଏହି ବିବାଦ  ଦେଶର କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି । ପୁରୀରୁ ଦୀଘାକୁ କେମିତି ଗଲା ଦାରୁ ଓ କିଏ ଦେଲା ଅନୁମତି ସେ ନେଇ ପ୍ରଶ୍ନ ଉଠିଛି । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଛି ।  ପୁରୀ ସାଂସଦ ବି ଧାମ ବ୍ୟବହାର ନେଇ ଆପତ୍ତି ଉଠାଇଛନ୍ତି । 

Advertisment

ପଶ୍ଚିମପଙ୍ଗ ଦୀଘାରେ  ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ବିବାଦ ତୀବ୍ର ହେବାରେ ଲାଗିଛି । ଦୀଘା ମନ୍ଦିରରେ ଜଗନ୍ନାଥ ଧାମ ଲେଖାକୁ କେହି ସହଜରେ ଗ୍ରହଣ କରିପାରିନାହାନ୍ତି । ଏବେ ପୁରୀରୁ ଦୀଘାକୁ ଦାରୁ ଯିବା ଓ ଏହି ଦାରୁରେ ମୂର୍ତ୍ତି ନିର୍ମାଣ ନେଇ ଆଉ ଏକ ବଡ଼ ବିବାଦ ମୁଣ୍ଡଟେକିଛି ।  ଦଇତାପତି ସେବାୟତ ରାମକୃଷ୍ଣ ଦାସ ମହାପାତ୍ରଙ୍କ ଗଣମାଧ୍ୟମରେ ମାନିବା ଏହି ବିବାଦକୁ ବଳ ଦେଇଛି । 

ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ ଓ ଦାରୁ ନେବା ଘଟଣାରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ଆଇନମନ୍ତ୍ରୀ । ତଦନ୍ତ ନିର୍ଦ୍ଦେଶ ଦେବା ସହ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ଉପମୁଖ୍ୟମନ୍ତ୍ରୀ ସିଧାସଳଖ ମମତା ବାନାର୍ଜୀଙ୍କୁ  ଟାର୍ଗେଟ କରିଛନ୍ତି ।

ଦୀଘାରେ ମନ୍ଦିର ପ୍ରତିଷ୍ଠା ହୋଇଥିବାବେଳେ ଓଡିଶାରେ ହଲଚଲ ବଢିଛି ।  ଜଗନ୍ନାଥ ଧାମର ବ୍ୟବହାର ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସୁଦର୍ଶନ ପଟ୍ଟନାୟକ ପୁରୀ ଗଜପତିଙ୍କୁ  ଚିଠି ଲେଖିଛନ୍ତି ।  ପଶ୍ଚିମବଙ୍ଗ ରେ ନୂଆ ମନ୍ଦିରରେ ଏଭଳି ଜଗନ୍ନାଥ ଧାମ ନାମ ବ୍ୟବହାର ଓ ପ୍ରଚାର ହିନ୍ଦୁ ଧର୍ମର ସଂସ୍କୃତି,ପ୍ରଥା ପରମ୍ପରା ପ୍ରତି  ଧାର୍ମିକ ଦ୍ଵନ୍ଦ ସୃଷ୍ଟି କରିବା ସହ ଧାର୍ମିକ ଭାବନାର ବିପରୀତ ରେ ଯିବ ବୋଲି କହିଛନ୍ତି ସୁଦର୍ଶନ । ପୁରୀ ଗଜପତି କହିଛନ୍ତି ଉଚିତ ପଦକ୍ଷେପ ନିଆଯିବ । ସମ୍ବିତ ପାତ୍ର ବି  ଧାମ ବ୍ୟବହାର ନେଇ ଆପତ୍ତି ଉଠାଇଛନ୍ତି ।
ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ କାହାକୁ ମନା ନାହିଁ କିନ୍ତୁ ଧାମ ନାଁ ବ୍ୟବହାର କରାଯିବା, ବାରଣ ସତ୍ତ୍ବେ କିଛି ଦଇତାପତି ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ଓ ବଳକା ଦାରୁରେ ମୂର୍ତ୍ତି ତିଆରି ହେବା ଦ୍ବନ୍ଦ୍ବାତ୍ନକ ସ୍ଥିତି ସୃଷ୍ଟି କରିଛି ।