Photograph: (kanaknews)
କନକବ୍ୟୁରୋ : ଆମେରିକାର ଟେକ୍ସାସରେ ଭଗବାନ ହନୁମାନଙ୍କ ଏକ ବିଶାଳ ପ୍ରତିମାକୁ ନେଇ ବିବାଦ ଦେଖାଦେଇଛି । ଶ୍ରୀ ଅଷ୍ଟଲକ୍ଷ୍ମୀ ମନ୍ଦିରରେ ଭଗବାନ ହନୁମାନଙ୍କ ପ୍ରତିମା ଉପରେ ଟେକ୍ସାସର ଜଣେ କର୍ମୀଙ୍କ ମନ୍ତବ୍ୟରୁ ଏହି ବିବାଦ ସୃଷ୍ଟି ହୋଇଛି । ସୁଗାର ଲ୍ୟାଣ୍ଡରେ ଥିବା ୯୦ ଫୁଟ ଉଚ୍ଚ ପ୍ରତିମାକୁ ଭାରତୀୟମାନଙ୍କ ଦ୍ୱାରା ଆମେରିକୀୟ ଜମି ଦଖଲ କରିବାର ପ୍ରୟାସ ବୋଲି କହିବା ପରେ ଭାରତୀୟମାନଙ୍କ କ୍ରୋଧ ସାମ୍ନାକୁ ଆସିଛି । ଏହି ପ୍ରତିମା ହିନ୍ଦୁମାନଙ୍କ ଦ୍ୱାରା ସେମାନଙ୍କ ବ୍ୟକ୍ତିଗତ ଜମିରେ ନିର୍ମିତ ହୋଇଛି ଏବଂ ତାଙ୍କୁ ଏପରି ମନ୍ତବ୍ୟ ଦେବା ଉଚିତ୍ ନୁହେଁ ବୋଲି ପ୍ରବାସୀ ଭାରତୀୟମାନେ ସଫା ସଫା ଶୁଣାଇ ଦେଇଛନ୍ତି ।
ଅଧିକ ପଢନ୍ତୁ... ପୁଣି ଏକ ଯୁଦ୍ଧ ଆଶଙ୍କା: ଦୁଇ ଆଫ୍ରିକୀୟ ଦେଶ ସୀମାରେ ଉତ୍ତେଜନା ବୃଦ୍ଧି
ଡଲାସ୍-ଫୋର୍ଟ ୱର୍ଥ ଅଞ୍ଚଳର ଜଣେ ରିପବ୍ଲିକାନ୍ ସାମାଜିକକର୍ମୀ ତଥା ମାଗା ସମର୍ଥକ କାର୍ଲୋସ୍ ଟର୍ସିଓସ୍ ଏକ୍ସରେ ଭଗବାନ ହନୁମାନଙ୍କ ପ୍ରତିମାର ଏକ ଭିଡିଓ ସେୟାର କରିଛନ୍ତି । ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି, "ତୃତୀୟ ବିଶ୍ୱର ଏଲିଏନ୍ ଧୀରେ ଧୀରେ ଟେକ୍ସାସ ଓ ଆମେରିକାକୁ କବଜା କରୁଛନ୍ତି। ଏହି ଦଖଲକୁ ବନ୍ଦ କରିବା ପାଇଁ ଆମେରିକୀୟ ମାନଙ୍କୁ ଆଗକୁ ବଢ଼ିବାକୁ ପଡିବ ବୋଲି ସେ ପୋଷ୍ଟ କରିଥିବା ବେଳେ କାର୍ଲୋସ ଟର୍ସିଓସଙ୍କର ଦାବି ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହି ଭାରତୀୟମାନେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ।
ସେପଟେ ଜଣେ ୟୁଜର୍ସ କାର୍ଲୋସଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି, "ହିନ୍ଦୁମାନେ ନିଜ ଜମିରେ, ନିଜ ଟଙ୍କାରେ ମନ୍ଦିର ନିର୍ମାଣ କରିଥିଲେ । ଆପଣ ବହୁ ବର୍ଷ ପୂର୍ବରୁ କଲଚର ଵାର୍ (ସଂସ୍କୃତି ଯୁଦ୍ଧ)ରେ ହାରିଯାଇଛନ୍ତି, ଆଗକୁ ମଧ୍ୟ ହାରିବେ ।
ଉଲ୍ଲେଖଯୋଗ୍ୟ, ୨୦୨୪ ମସିହାରେ ଟେକ୍ସାସର ଏକ ମନ୍ଦିର ପରିସରରେ ସ୍ଥାପିତ ଭଗବାନ ହନୁମାନଙ୍କ ୯୦ ଫୁଟ ଉଚ୍ଚ ପ୍ରତିମା ଅନେକ ଥର ଖବରରେ ରହିଛି । ଏହି ପ୍ରତିମା ଅଗଷ୍ଟ ୨୦୨୪ରେ ଉଦ୍ଘାଟିତ ହୋଇଥିଲା । ଏହା ଉତ୍ତର ଆମେରିକାରେ ସବୁଠାରୁ ଉଚ୍ଚ ପ୍ରତିମା । ଏହାର ନିର୍ମାଣ ସମୟରେ, ନିକଟସ୍ଥ ଏକ ଚର୍ଚ୍ଚର ସଦସ୍ୟମାନେ ବିରୋଧ କରିଥିଲେ ସୁଦ୍ଧା ଏହି ପ୍ରତିମା ନିର୍ମାଣରେ କୌଣସି ବାଧା ସୃଷ୍ଟି ହୋଇନଥିଲା ।
Follow Us