କନକ ବ୍ୟୁରୋ: ବାଂଲାଦେଶରେ ତେଜିବାରେ ଲାଗିଛି ହିନ୍ଦୁ ବିରୋଧୀ ହିଂସା । ଇସ୍କନ ମୁଖ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭାସଙ୍କ ଗିରଫ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିବା ହିନ୍ଦୁ ସମାଜ ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅନେକ ସ୍ଥାନରେ ହିନ୍ଦୁ ମନ୍ଦିର ଉପରେ ଟେକା ପଥର ଫିଙ୍ଗାଯିବା ସହିତ ହିନ୍ଦୁ ମାନଙ୍କ ଘରେ ପଶି ସେମାନଙ୍କୁ ମାଡ଼ ମରାଯାଉଥିବା ଦେଖିବାକୁ ମିଳିଛି । ସଂଖ୍ୟାଲଘୁଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ନିଆଁ ଲଗାଇ ଲୁଟ୍ କରିବା ସହ ଦେବଦେବୀଙ୍କ ଅଳଙ୍କାର ଚୋରି, ଭଙ୍ଗାରୁଜା ଭଳି ଅନେକ ମାମଲା ମଧ୍ୟ ସାମ୍ନାକୁ ଆସୁଛି ।
ଚିନ୍ମୟ ଦାଶଙ୍କ ବିରୋଧରେ ବାଂଲାଦେଶର ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି । ସନାତନ ଜାଗରଣର ମୁଖପାତ୍ର ଇସ୍କନ୍ ପୂଜକ ଚିନ୍ମୟ କ୍ରିଷ୍ଣା ଦାସଙ୍କୁ ଗିରଫ ଓ ଜାମିନ ନାମଞ୍ଜୁର କରିବା ଘଟଣାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗଭୀର ଉଦବେଗ ପ୍ରକାଶ କରିଛି । ବାଂଲାଦେଶରେ ଜିହାଦୀଙ୍କ ଦ୍ୱାରା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଏକାଧିକ ଆକ୍ରମଣକୁ ନିନ୍ଦା କରାଯାଇଛି । ପଡ଼ୋଶୀ ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାରକୁ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ବିରୋଧ କରାଯାଇଛି । କୋଲକାତା ସମେତ ବିଭିନ୍ନ ସ୍ଥାନରେ ହିନ୍ଦୁ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି।