କନକ ବ୍ୟୁରୋ: ପୁଣିଥରେ ବିବାଦ ଘେରରେ ଫସିଛି ବହୁଚର୍ଚ୍ଚିତ ବୈକୁଣ୍ଠ ଧାମ ଆଶ୍ରମ । ଲୋକଙ୍କ ଭାବନା ସହ ଖେଳୁଥିବା ବୈକୁଣ୍ଠ ଧାମ ଆଶ୍ରମ ହାଇକୋର୍ଟକୁ ଦେଇଛି ମିଥ୍ୟା ତଥ୍ୟ । ସରକାରୀ ଚିଠିର ନକଲ କରି ଆଶ୍ରମର କର୍ତ୍ତୃପକ୍ଷ ହାଇକୋର୍ଟରେ ଦାଖଲ କରିଛନ୍ତି ମିଛ ଚିଠି । କନକ ନ୍ୟୁଜ୍ ହାତରେ ଲାଗିଛି ଆଶ୍ରମ କରିଥିବା କାରସାଦିର ପ୍ରମାଣ।
- ଧରାପଡିଲା ବୈକୁଣ୍ଠ ଧାମର ମିଛ ତଥ୍ୟ
- ହାଇକୋର୍ଟକୁ ବି ବିଭ୍ରାନ୍ତ କଲେ ଆଶ୍ରମର କର୍ତ୍ତୃପକ୍ଷ
ବୈକୁଣ୍ଠ ଧାମର ଆତ୍ମଘୋଷିତ ବାବା କାଶୀନାଥ କେବଳ ଲୋକଙ୍କୁ ଠକୁଥିଲେ ତାହା ନୁହେଁ, ଏଥର ହାଇକୋର୍ଟକୁ କରିଛନ୍ତି ବିଭ୍ରାନ୍ତ । ବୈକୁଣ୍ଠଧାମ ଆଶ୍ରମରେ ଯୋଗ କେନ୍ଦ୍ର ପାଇଁ ଜମି ବଣ୍ଟନ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ଲେଖିଥିଲା । ଏନେଇ ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି ବୈକୁଣ୍ଠ ଧାମ କର୍ତ୍ତୃପକ୍ଷ । କିନ୍ତୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏଭଳି କିଛି ଚିଠି ଲେଖିନଥିବା ସ୍ପଷ୍ଟ ହୋଇଛି ।
ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଲେଟର ପ୍ୟାଡରେ ଲେଖାଯାଇଛି ଚିଠି । ଚିଠି ଉପରେ ରାଜ୍ୟ ସରକାରଙ୍କ ଲୋଗୋ ଅଛି। ଆଉ ଚିଠି ନମ୍ୱର ହେଉଛି ୨୧୦୬୫ । ଜିଏ ବିଭାଗକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଗତ ଏପ୍ରିଲ ୨୬ ତାରିଖରେ ଏହି ଚିଠି ଦେଇଥିଲା ବୋଲି ଉଲ୍ଲେଖ ରହିଛି।
ହେଲେ ୨୨.୮.୨୦୨୪ରେ ଲେଖାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଉ ଏକ ଚିଠି, ଯାହାର ନମ୍ୱର ହେଉଛି ୨୧୦୬୪ , ୨୧୦୬୫ ଓ ୨୧୦୬୬। ଏହି ଚିଠିଟି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କରାଯାଇଥିଲା ।
ଖଣ୍ଡଗିରିବାରି ସ୍ଥିତ ଏହି ଆଶ୍ରମ ସରକାରୀ ଜମି ଉପରେ ଛିଡା ହୋଇଛି । ଆତ୍ମଘୋଷିତ ବାବା କାଶୀନାଥ ଓ ପୁଅ ଅନନ୍ତ ଓରଫ କଳକୀ ମାଳିକା ନାଁରେ ଲୋକଙ୍କୁ ଠକୁଥିଲେ । ଏହି ସାମ୍ରାଜ୍ୟ ଭାଙ୍ଗିବା ପାଇଁ ସରକାର ପ୍ରସ୍ତୁତ ହୋଇସାରିଥିବାବେଳେ ହଠାତ କୋର୍ଟର ଦ୍ୱାରସ୍ଥ ହୋଇ ନକଲି ତଥ୍ୟ ଦେଇ ଆଶ୍ରମକୁ ଭାଙ୍ଗିବା ପୂର୍ବରୁ ଅଟକାଇବାରେ ସଫଳ ହୋଇଛନ୍ତି। କିନ୍ତୁ ଏବେ ଆଶ୍ରମର ମିଛ ଧରାପଡିଯାଇଛି।
ତେବେ ପ୍ରଶ୍ନ ଉଠୁଛି, ହାଇକୋର୍ଟର ସମୟ ନଷ୍ଟ କରିବା ସହ ମିଛ ତଥ୍ୟ ଦେବା ଘଟଣାରେ ବୈକୁଣ୍ଠ ଧାମ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ? ଜବରଦଖଲ ଆଶ୍ରମ କେବେ ଭଙ୍ଗା ଯିବ ?