କନକ ବ୍ୟୁରୋ : କର୍ଣ୍ଣାଟକର ଶିବମୋଗାରେ ସିଇଟି (କମନ ଏନଟ୍ରାନ୍ସ ଟେଷ୍ଟ) ସମୟରେ ଏକ ବିବାଦ ଉପୁଜିଛି । କିଛି ଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ରରେ ଜନେଉ ଓ ହାତରେ ବନ୍ଧା କଲାବା (ରକ୍ଷା ସୂତ୍ର) ଖୋଲିବାକୁ କୁହାଯାଇଥିଲା, ଯାହା ବିବାଦର କାରଣ ହୋଇଛି । ଘଟଣା ଶିବମୋଗାର ଆଦି ଚୁନଚୁନଗିରି ପିୟ୍ୟୁ କଲେଜ ପରିସରରେ ଘଟିଛି । ସିଇଟି ପରୀକ୍ଷା ଦେବାକୁ ଆସିଥିବା ତିନି ଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ରରେ ଅଟକାଯାଇ ସେମାନଙ୍କ ଶରୀରରେ ବନ୍ଧା ଜନେଉ ଏବଂ ହାତରେ ବନ୍ଧା ରକ୍ଷା ସୂତ୍ର ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି । ସେପଟେ କର୍ଣ୍ଣାଟକର ଉଚ୍ଚ ଶିକ୍ଷା ମନ୍ତ୍ରୀ ଏମ. ସି. ସୁଧାକର କହିଛନ୍ତି ଯେ ଏପରି ଘଟଣା ଘଟିବା ଉଚିତ ନୁହେଁ । ଯଦି ଏପରି ଘଟିଛି ଓ ଦାବି ଅନୁଯାୟୀ ହୋଇଥାଏ, ତେବେ ଏହା ନିନ୍ଦନୀୟ । ମୁଁ କାର୍ଯ୍ୟନିର୍ବାହୀ  ନିର୍ଦ୍ଦେଶକଙ୍କଠାରୁ ରିପୋର୍ଟ ମାଗିଛି । ପରୀକ୍ଷା ପାଇଁ କିଛି ନିର୍ଦ୍ଦିଷ୍ଟ ପ୍ରୋଟୋକଲ ରହିଛି, ଯାହା ପ୍ରତ୍ୟେକ ଅନୁଷ୍ଠାନ ପାଳନ କରେ, କିନ୍ତୁ ତା’ ମଧ୍ୟରେ ଜନେଉ ଖୋଲାଇବାର କୌଣସି ନିୟମ ନାହିଁ । ଯଦି ତଦନ୍ତରେ ଏହି ଘଟଣା ସତ୍ୟ ପ୍ରମାଣିତ ହୁଏ, ତେବେ ବିଭାଗ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ।