କନକ ବ୍ୟୁରୋ : ଝିପିଝିପି ବର୍ଷାରେ ପଡ଼ୁଛି ପିଚୁ । କାମ ଦେଖିବାକୁ କେହି ନାହିଁ । ଏସବୁ ଦେଖି ସ୍ଥାନୀୟ ଲୋକ କହିଛନ୍ତି, ଠିକାଦାର ମନଇଛା କାମ କରୁଛି । ତା' ପୁଣି ଅତିନିମ୍ନମାନର ! ବିନା ସୂଚନା ଫଳକରେ । ଭଞ୍ଜନଗରରେ ବେଲଗୁଣ୍ଠା ଠାରୁ ଗେରେଡ଼ା ଲେମ୍ଭୋଇ ରାସ୍ତାରେ ଏହି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ନିୟମ ଅନୁସାରେ, ପ୍ରାଇମେରି ପିଚୁ ଦେଇ ପିଚୁ ପକାଇବା କଥା। ହେଲେ ଏଠାରେ ଝିପିଝିପି ବର୍ଷାରେ ପିଚୁ ପଡୁଥିବାରୁ ରାସ୍ତାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି।

Advertisment

ବେଲଗୁଣ୍ଠା ଠାରୁ ଗେରେଡ଼ା ଲେମ୍ଭୋଇ ପର୍ଯ୍ୟନ୍ତ ପିଚୁ ରାସ୍ତା ନେଇ ବର୍ଷେ ତଳେ ଭଂଜନଗର ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ହୋଇଥିଲା । ଠିକାଦାର ଚୟନ କରି କାମ ଦିଆଯାଇଛି । ହେଲେ ଠିକାଦାର ଯାହାତାହା କରି କାମ ସାରିଦେବାକୁ ବସିଛି । ଦିନେ ବି ବିଭାଗୀୟ ଯନ୍ତ୍ରୀ ତଦାରଖ କରୁନଥିବା ଅଭିଯୋଗ ହୋଇଛି । ହେଲେ କେହି ଶୁଣୁନାହାନ୍ତି କି ଠିକା ସଂସ୍ଥାର କର୍ମଚାରୀ ଏବାବଦରେ ମୁହଁ ଖୋଲୁନାହାନ୍ତି ।

କିଛି ମାସ ତଳେ ଏହି ଅଞ୍ଚଳର ଅନ୍ୟ ଦୁଇଟି ଗାଁରେ ରାସ୍ତାକୁ ନେଇ ବିବାଦ ଦେଖାଦେଇଥିଲା। ଘର ଠାରୁ ରାସ୍ତା ଉଚ୍ଚ ହେବାରୁ ସ୍ଥାନୀୟ ବିରୋଧ କରିଥିଲେ । ତଥାପି ଠିକାଦାର ଟାଇଁଟାଇଁ ଖରାରେ କଂକ୍ରିଟ୍‌ ରାସ୍ତା କରି ଚାଲିଯାଇଛି । ଘର ତଳସ୍ତରରୁ ରାସ୍ତା ଉଚ୍ଚ ହେବାରୁ ବର୍ଷା ହେଲେ ଘରେ ପାଣି ପଶିଯାଉଛି। ଲୋକେ ହିନସ୍ତା ହେଉଛନ୍ତି ।