କନକ ବ୍ୟୁରୋ: ଦୁର୍ନୀତିର ଅମରାବତି ପାଲଟିଛି ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ। କାମ ନକରି ସରକାରୀ ଅର୍ଥ ଲୁଟି ନେଉଛନ୍ତି ଠିକାଦାର। ହେଲେ ଏମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆନଯିବା ସମସ୍ତଙ୍କୁ ଆଚମ୍ବିତ କରିଛି। ଆକଳନ ଅନୁଯାୟୀ ବିଲ କରି ଲାଭ ଟଙ୍କାକୁ ଭାଗ କରି ନେଉଥିବା ଭଳି ଗୁରୁତର ଅଭିଯୋଗ ଆସିଛି।
ରାସ୍ତା ନିର୍ମାଣ ଅବଧି ସରିଯାଇଛି, କିନ୍ତୁ କିଛି କାମ ହୋଇନି । ମରଣଯନ୍ତା ପାଲଟିଛି ରାଜନଗର ବ୍ଲକର ବାଘମାରି ଠାରୁ ପଟ୍ଟାପାରିଆ ପର୍ୟ୍ୟନ୍ତ ରାସ୍ତା। ହେଲେ ଠିକାଦାର ରାସ୍ତାକୁ ସମାନ ଓ ଡବ୍ଲୁଏମ୍ଏମ୍ କରିବା ଦର୍ଶାଇ ୩୦ରୁ ଲକ୍ଷରୁ ଅଧିକ ଟଙ୍କା ବିଲ କରି ଉଠାଇ ନେଇଥିବା ସାଂଘାତିକ ଅଭିଯୋଗ ଆସିଛି। ରାଜନଗର ବ୍ଲକର ଏହି ରାସ୍ତା ଉପରେ ବ୍ଲକର ୪ଟି ପଞ୍ଚାୟତ ତାଳଚୁଆ, ରଙ୍ଗଣୀ, ବାଘମାରି ଓ କୃଷ୍ଣନଗର ଲୋକ ନିର୍ଭର କରନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ଏହି ରାସ୍ତାଟିର ମରାମତି ପାଇଁ ୨୦୨୪ ଜାନୁୟାରୀରେ ଟେଣ୍ଡର କରାଯାଇ ଠିକାଦାରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଟିକାୟତନଗର ଛକ ଠାରୁ ରଙ୍ଗଣୀ ଯାଏଁ ସାଢ଼େ ଛ' କିଲୋମିଟର ରାସ୍ତା ପାଇଁ ୧କୋଟି ୨୮ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨୦୨୪ ଜୁଲାଇ ଶେଷ ସୁଦ୍ଧା କାମ ସାରିବାର ଥିଲା। ହେଲେ କାମ ନକରି ବିଲ ଉଠାଇନେଇଛନ୍ତି ଠିକାଦାର।
ରାଜନଗର ଗ୍ରାମ୍ୟ ଉନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଜାଣତରେ ଏ ସମସ୍ତ କାମ ହେଉଥିବା ଗୁରୁତର ଅଭିଯୋଗ ଆସିଛି। ଏସମ୍ପର୍କରେ ଜାଣିବା ପାଇଁ ଆମେ ଯାଇଥଲୁ ରାଜନଗର ଗ୍ରାମ୍ୟ ଉନୟନ ଅଫିସକୁ। ହେଲେ ସେଠାକାର ଦୃଶ୍ୟ ଥିଲା ଆହୁରି ଆଶ୍ଚର୍ୟ୍ୟଜନକ। ଡ୍ୟୁଟି ସମୟରେ ସେଠାରେ ସମସ୍ତ ଅଧିକାରୀ ନିଘୋଡ ନିଦରେ ଶୋଇ ଘୁଙ୍ଗୁଡି ମାରୁଥିଲେ। ଆଉ ସହକାରୀ ନିର୍ବାହୀ ଯନ୍ତ୍ରୀ କହୁଛନ୍ତି ଏନେଇ କିଛି ବି ପ୍ରତିକ୍ରିୟା ଦେବାକୁ ଆମକୁ ଅନୁମତି ନାହିଁ। ରାଜନଗର ବ୍ଲକରେ ଥିବା ଏହି ରାସ୍ତାଟିର ତୁରନ୍ତ ମରାମତି ପାଇଁ ଦାବି କରାଯାଇଛି।