କନକ ବ୍ୟୁରୋ : ଲୋକଙ୍କ ସୁବିଧା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏ ସବୁ ଯୋଜନା ଫଳପ୍ରଦ ହୋଇପାରୁନି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରୁ ଆସିଛି ଏମିତି ଏକ ଅଭିଯୋଗ । ଯେଉଁଠି ଠିକାଦାର କାମ ନକରି ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଏହି ଦୁର୍ନୀତିରେ ପୂର୍ବତନ କନିଷ୍ଠ ଯନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଆସିଛି ଅଭିଯୋଗ ।

Advertisment

ରାସ୍ତା ଖୋଳା ହେଲା । ହେଲେ ଆଉ ମରାମତି ହେଲାନି । ରାତି ପାହିଲେ ଶହଶହ ଲୋକ ଯିବାଆସିବାରେ ଅନେକ ସମସ୍ୟା ଭୋଗୁଛନ୍ତି । ପ୍ରାୟ ୫ ୱାର୍ଡର ଲୋକ ଅସୁବିଧାରେ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ପାନୀୟ ଜଳ ପ୍ରକଳ୍ପ । ରାସ୍ତା ଖୋଳି ପାଇପ୍‌ ବିଛାଇବା ପାଇଁ ଠିକାଦାର ୬୦ କୋଟିର ଟେଣ୍ଡର ନେଇଥିଲେ । ରାସ୍ତା ଖୋଳି ପ୍ରତ୍ୟେକ ଘରକୁ ପାଇପ ବିଛାଯିବା ପରେ କଂକ୍ରିଟ କରିବା ଦାୟିତ୍ୱ ଠିକାଦାରଙ୍କ ଉପରେ । ହେଲେ ଠିକାଦାର ୧୨ ନମ୍ବର ୱାର୍ଡର ସୁଭାଷ ଛକରୁ ୧୯ ନମ୍ବର ୱାର୍ଡର ହନୁମାନ ଛକ ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତା ମରାମତି କଲେନି । ଠିକାଦାର ବିଲ୍‌ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ରାଜଗାଙ୍ଗପୁର ପୌରପାଳିକା କାଉନସିଲର ।

ରାସ୍ତାରେ ବଡ଼ ବଡ଼ ଖାଲ ହୋଇଥିବାରୁ ଗାଡ଼ି ଯିବାରେ ଅସୁବିଧା ହେଉଛି । ଠିକାଦାର ଓ ପୂର୍ବତନ କନିଷ୍ଠ ଯନ୍ତ୍ରୀ ମିଶି ୧୦ ଲକ୍ଷରୁ ଅଧିକ ଟଙ୍କା ଖାଇଯାଇଥିବା ଆସିଛି ଅଭିଯୋଗ । କାଉନସିଲର୍‌ ତୁରନ୍ତ କାମ ଶେଷ ନେଇ ୱାଡକୋ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଥିଲେ । ହେଲେ ବିଲ୍‌ ଉଠା ସରିଛି, ଆଉ ମରାମତି କାର୍ଯ୍ୟ ସମ୍ଭବ ନୁହେଁ ବୋଲି ସେ କହିଥିବା ଜଣାପଡ଼ିଛି ।

ଖୁବଶୀଘ୍ର ରାସ୍ତା ମରାମତି କରାଯିବା ନେଇ ପ୍ରତିଶ୍ରୁତି ମିଳିଥିବା ବେଳେ ତାକୁ ଅପେକ୍ଷା କରିଛନ୍ତି ଶହଶହ ଲୋକ ।