କନକ ବ୍ୟୁରୋ : ସରକାର ନିରାଶ୍ରୟମାନଙ୍କୁ ଆବାସ ଘର ଦେଲେ। ଆଉ ଘର ତିଆରି କରିଦେବ କହି ଟଙ୍କା ଠକି ଚାଲିଗଲା ଠିକାଦାର। ଆଉ ପୂର୍ବ ଭଳି ଯେଉଁ ଅବସ୍ଥାକୁ ସେଇ ଅବସ୍ଥା। ବୟସର ସୟାହ୍ନରେ ସରକାରୀ ଯୋଜନା ବାଟ ଚାହିଁ ବସିଛନ୍ତି ବୃଦ୍ଧବୃଦ୍ଧା ହିତାଧିକାରୀ। ଅନ୍ୟପଟେ ପ୍ରଶାସନ କହୁଛି ଘଟଣାର ସରଜମିନ ତଦନ୍ତ କରାଯିବ, ଆବଶ୍ୟକ ପଡ଼ିଲେ ଥାନାରେ ମଧ୍ୟ ମାମଲା ରୁଜୁ କରାଯାଇପାରେ।
ବୃଦ୍ଧ ଦମ୍ପତି ସିଲବାନୁସ ହେମ୍ବ୍ରମ୍ ଓ ଫିଲିସିଆ ହେମ୍ବ୍ରମ୍। ବୟସ ୮୦ ଉପରେ। କାନକୁ ଆଉ ଶୁଭୁନି, ଆଶାବାଡ଼ି ବିନା ପାଦେ ଚାଲିବାକୁ ଜୁ’ ନାହିଁ। ପିଲାଛୁଆ ନାହାନ୍ତି। ୫୦ବର୍ଷ ପୁରୁଣା ଝାଟିମାଟିର କୁଡ଼ିଆରେ ଜଣେ ଅନ୍ୟଜଣଙ୍କ ସାହାରା। ଏଇ ବୟସରେ ଏମାନେ ଠକାମିର ଶିକାର ହୋଇଛନ୍ତି। ପୁଣି ଆବାସ ଠକେଇ। ସଂପୂର୍ଣ୍ଣ କାହାଣୀ ଜାଣିବା ପୂର୍ବରୁ ଆସନ୍ତୁ ଭେଟିବା ଆଉ ଦୁଇ ଜଣଙ୍କୁ। ଜୟଦେବ ତେଲି। ପରିବାର କହିଲେ ସ୍ତ୍ରୀ ଆଉ ସେ। ପୁଅଟେ ଥିଲା ଯେ ଦୁର୍ଘଟଣାରେ ସେ ଚାଲିଗଲା। ଏମାନେ ମଧ୍ୟ ସମାନ ଠକାମିର ଶିକାର ହୋଇଛନ୍ତି। ଏମାନେ ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ବିରିବିରା ପଞ୍ଚାୟତର ଅଧିବାସୀ। ଅଭାବୀ ପରିବାରକୁ ପ୍ରଶାସନ ସରକାରୀ ପକ୍କାଘର ଯୋଗାଇ ଦେଇଛି। ଆଉ ସେଇ ପଇସାରେ ପକେଟ୍ ଗରମ କରୁଛନ୍ତି ଠିକାଦାର।
୨୦୨୩ ମସିହାରେ ମିଳିଥିଲା ସରକାରୀ ଆବାସ କାର୍ଯ୍ୟାଦେଶ । ହିତାଧିକାରୀ ତାଲିକାରେ ସ୍ଥାନ ପାଇବା ପରେ ଅବଶିଷ୍ଟ ଜୀବନ ଛାତ ଘରେ କଟିବ ବୋଲି ଆଶା ରଖିଥିଲେ ଅସହାୟ ଦମ୍ପତି। ହେଲେ ସବୁ ପାଣି ଫୋଟକା ପରି ମିଳେଇ ଯାଇଛି। ଘର କରିଦେବ କହି ଟଙ୍କା ନେଇ ଛୁ’ ମାରିଛି ଠିକାଦାର। ଅଧାଗଢ଼ା ଘରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ବୃଦ୍ଧ ଦମ୍ପତି। ଠିକାଦର ସିନା ଠକିଦେଲା, ପଞ୍ଚାୟତ କି ବ୍ଲକ ପ୍ରଶାସନ ବି ଦୁଃଖ ବୁଝୁନଥିବା ଅଭିଯୋଗ ହୋଇଛି। ବିରିବିରା ଗାଁର କେବଳ ଏହି ଦୁଇ ପରିବାର ନୁହେଁ ପ୍ରାୟ ୧୪ ଜଣଙ୍କ ଆବାସ ଟଙ୍କା ନେଇ ଫେରାର ଠିକାଦାର! ଅନ୍ୟପଟେ ଘଟଣାକୁ ସ୍ୱୀକାର କରିଛନ୍ତି ସ୍ଥାନୀୟ ସରପଞ୍ଚ। ବ୍ଲକର ବିଡିଓ କହିଛନ୍ତି ଘଟଣାର ତଦନ୍ତ କଲା ପରେ ନିହାତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/a1-2026-03-06-22-43-03.jpg)