କନକ ବ୍ୟୁରୋ : ପଞ୍ଜାବ ଏବେ ସବୁଠାରୁ ବଡ଼ ବନ୍ୟାର ସମ୍ମୁଖୀନ ହୋଇଛି । ରାଜ୍ୟରେ ବନ୍ୟା ମୃତ୍ୟୁସଂଖ୍ୟା ଆଜି ୪୩କୁ ବୃଦ୍ଧି ପାଇଛି । ୨ ହଜାରରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ସତଲେଜ ନଦୀର ପ୍ରଖର ସୁଅ ଯୋଗୁ ଲୁଧିଆନା ଜିଲ୍ଲାର ପୂର୍ବ ଅଞ୍ଚଳରେ ବାକ୍ରା ନଦୀବନ୍ଧ ପ୍ରବଳ ଚାପରେ ଥିବାରୁ ଲୁଧିଆନା ଜିଲ୍ଲା ପ୍ରଶାସନ ହାଇ ଆଲର୍ଟ ଜାରି କରିଛି । ବନ୍ଧ ଦୁର୍ବଳ ହେଉଥିବାରୁ ସରସାଲି, ବନ୍ତ, ରାୱତ, ହାୱସ, ସିରା, ବୁଥଗନ, ମଙ୍ଗଲି ତନ୍ଦା, ଧେରି, ଖୱାଜକେ, ଖାସି ଖୁର୍ଦ, ମଙ୍ଗଲି କଦର, ମାଟ୍ଟେୱାଡ଼ା, ମଙ୍ଗତ ଏବଂ ମେହରବାନ୍ ଗ୍ରାମ ଗୁଡ଼ିକ ଉପରେ ବଡ଼ ବିପଦ ରହିଛି । ଏହି ଗାଁରେ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଯିବାପାଇଁ ନିର୍ଦ୍ଦେଶ ଦିଆଯିବା ସହ ସର୍ବାଧିକ ସତର୍କତା ଅବଲମ୍ବନ କରିବାପାଇଁ କୁହାଯାଇଛି ।
ସେପଟେ ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀର ରଜୌରୀରେ ପୁଣି ଭୂସ୍ଖଳନ । ପ୍ରବଳ ବର୍ଷା ଯୋଗୁ ହିମାଚଳ ପ୍ରଦେଶର କିନ୍ନାଉର ନାଥପା ଡ୍ୟାମ୍ ନିକଟରେ ଭୂସ୍ଖଳନ ଘଟିଛି । ଏହା ବଡ଼ ଭୟଙ୍କର ଥିଲା । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଘଟଣାସ୍ଥଳରେ ୫ ଜଣ ଉପସ୍ଥିତ ଥିଲେ । ସମସ୍ତେ ସୁରକ୍ଷିତ ଅଛନ୍ତି । ୫ ନମ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । କିଛିଦିନ ଧରି ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ବାରମ୍ବାର ଭୂସ୍ଖଳନ ହୋଇ ୩୫୫ରୁ ଅଧିକ ଜୀବନ ଯିବା ସହ ବ୍ୟାପକ କ୍ଷୟକ୍ଷତି ହେଲାଣି । ଜମ୍ମୁ-କାଶ୍ମୀର ରାଜୌରିରେ ଭୂସ୍ଖଳନ ଯୋଗୁ ବହୁ ଘର କ୍ଷତିଗ୍ରସ୍ତ ହେବା ସହ ରାସ୍ତା ନଷ୍ଟ ହୋଇଛି ।
ପୁଣି ଭୂସ୍ଖଳନ
ହିମାଚଳ ଓ ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ
ହିମାଚଳ ପ୍ରଦେଶ ନାଥପା ଡ୍ୟାମ୍ ନିକଟରେ ଭୂସ୍ଖଳନ
ଘଟଣାସ୍ଥଳରେ ୫ ଜଣ ଥିଲେ, ସମସ୍ତେ ସୁରକ୍ଷିତ
୫ ନମ୍ୱର ଜାତୀୟ ରାଜପଥ ନଷ୍ଟ, ଯାତାୟାତ ବାଧାପ୍ରାପ୍ତ
ଜମ୍ମୁ-କାଶ୍ମୀର ରାଜୌରିରେ ଭୂସ୍ଖଳନ
ଭୁସ୍ଖଳନ ଯୋଗୁ ବହୁ ଘର ଓ ରାସ୍ତା ନଷ୍ଟ