କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା । ତୁହାକୁ ତୁହା ବର୍ଷାରେ ଫୁଲିଲା ପୋଲ । ମାଲକାନଗିରି ଜିଲ୍ଲା କାଙ୍ଗରକୋଣ୍ଡା ପୋଲ ଉପରେ ୫ ଫୁଟ୍‌ ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ୩୨୭ ନଂ ଜାତୀୟ ରାଜପଥରେ ଗମନାଗମନ ଠପ୍ ହୋଇଯାଇଛି । ଏହି ରାସ୍ତା କାଲିମେଳା ଦେଇ ଆନ୍ଧ୍ର-ତେଲେଙ୍ଗାନାକୁ ଯୋଗାଯୋଗ କରିଥାଏ । କିନ୍ତୁ ରାସ୍ତା ଉପରେ ପ୍ରବଳ ପାଣି ଦ୍ବାରା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି । ସେପଟେ ପୁଣି ପାହାଡ଼ରୁ ଧସିଲା ମାଟି ଅତଡ଼ା । ଅବରୋଧ ହେଲା ରାସ୍ତା । ନାଲକୋ ଖଣି ଅଞ୍ଚଳର ପାହାଡ଼ ତଳେ ଥିବା ୨ଟି ଗାଁ, ତଳରଙ୍ଗପାଣି ଓ ଉପର ରଙ୍ଗପାଣିକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । କୁକୁଡ଼ାସିଲ୍ ଓ ରଙ୍ଗପାଣି ରାସ୍ତାରେ ଧସିଛି ମାଟି ଅତଡ଼ା । କେବଳ ବାଇକ୍ ଯାତାୟାତ ହେଉଥିବା ବେଳେ ୪ ଚକିଆ ଯାନ ଯିବାଆସିବା ବନ୍ଦ ହୋଇଯାଇଛି । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ତେନ୍ତୁଳିପଦର ପଞ୍ଚାୟତ ରଙ୍ଗପାଣି ରାସ୍ତାର କଥା ନ କହିଲେ ଭଲ । ନାରାୟଣପାଟଣା ବ୍ଲକର ଦୁର୍ଗମ ଗାଁଗୁଡ଼ିକୁ ଯିବାକୁ ହେଲେ ପାହାଡ଼ ତଳ କଟାଯାଇ ରାସ୍ତା ନିର୍ମାଣ କରାଯାଇଛି । ଅଳ୍ପ ବର୍ଷା ହେବା ମାତ୍ରେ ପାହାଡ଼ରୁ ମାଟି ଅତଡ଼ା ଖସୁଥିବା ଦେଖିବାକୁ ମିଳୁଛି । ସେପଟେ ବାଲେଶ୍ବରରେ ରାତିରୁ ପ୍ରବଳ ବର୍ଷା । ବର୍ଷାର ପ୍ରଭାବରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ରାସ୍ତାଘାଟ, ମେଡିକାଲ ପରିସରରେ ଭରି ରହିଛି ପାଣି । ନାଳରେ ବର୍ଷାପାଣି ପ୍ରବାହିତ ହେବା ଦ୍ବାରା ରାସ୍ତା ଉପରେ ପାଣିର ସୁଅ ଚାଲିଛି । ଏପରିକି ହସ୍ପିଟାଲ ପାଖରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସ ଉପରେ ଗଛ ପଡ଼ିଥିବା ଦେଖିବାକୁ ମିଳିଛି । 

Advertisment

ଅନ୍ୟପଟେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି । ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ ।  ପ୍ରଭାବରେ ଆଜିଠୁ ୨୮ଟି ଜିଲ୍ଲାକୁ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲ୍ଲା କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ ନୂଆପଡ଼ାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆସନ୍ତାକାଲି ପାଇଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ନବରଙ୍ଗପୁର ଜିଲ୍ଳାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ।