କନକ ବ୍ୟୁରୋ: ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି । କିନ୍ତୁ ଏହି ଲୁଣ କେବଳ ହାଣ୍ଡି ନଷ୍ଟ କରିବ ତାହା ନୁହଁ ଏବେ ସ୍ୱାସ୍ଥ୍ୟ ବି ଖରାପ କରିଦେବ ଅତ୍ୟଧିକ ଲୁଣ । ଯଦି ଆପଣ ବି ଅତ୍ୟଧିକ ଲୁଣ ଖାଉଛନ୍ତି ତେବେ ହୋଇଯାନ୍ତୁ ସାବଧାନ । କାରଣ ଏହି ଲୁଣ ନେଇପାରେ ଆପଣଙ୍କ ଜୀବନ । ଅତ୍ୟଧିକ ଲୁଣ ଖାଇଲେ ହାର୍ଟ ଆଟାକ ସହ କିଡନୀ ନଷ୍ଟ ହୋଇପାରେ ବୋଲି କହିଲେଣି ବିଶେଷଜ୍ଞ । ବିଶ୍ବ ସ୍ୱାସ୍ଥ୍ୟ ସଙ୍ଗଠନ ବି ଏନେଇ ସତର୍କ କରିଛି ।
ଶୁଣିଲେ ତେ ଖାଇବା ଥାଳିରେ ଲୁଣର ବ୍ୟବହାର ନେଇ କଣ କହୁଛନ୍ତି ଭୁବନେଶ୍ବର ବାସିନ୍ଦା । ଅନେକ କହନ୍ତି ସ୍ୱାଦ ଅନୁଯାୟୀ ଖାଦ୍ୟରେ ଲୁଣ ପକାନ୍ତୁ କିନ୍ତୁ ସ୍ୱାଦ ନୁହଁ ବରଂ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଖାଦ୍ୟରେ ଲୁଣ ପକାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଖାଦ୍ୟରେ ଅଧିକ ଲୁଣ ପଡିଗଲେ ଖାଦ୍ୟର ମାନ ବିଗିଡିଯାଏ ସତ କିନ୍ତୁ ଆଖିକୁ ସାମାନ୍ୟ ଦେଖାଯାଉଥିବା ଏହି ଲୁଣ ଆପଣଙ୍କ ଜୀବନ ବି ନେଇପାରେ । ମାତ୍ରାଧିକ ଲୁଣ ଖାଇଲେ ଆପଣଙ୍କ ଜୀବନ ଯାଇପାରେ ବୋଲି ସତର୍କ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।
ମାତ୍ରାଧିକ ଲୁଣ ଖାଇଲେ ....
ରକ୍ତଚାପ ବଢିଥାଏ
ହୃଦରୋଗ ହେବାର ସମ୍ଭାବନା ଅଧିକ
ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇଲେ କିଡନୀ ଉପରେ ପ୍ରଭାବ ପଡିଥାଏ
ସେଥିପାଇଁ କିଡନୀ ରୋଗୀ ଦିନକୁ ମାତ୍ର ୨ ଗ୍ରାମ ଓ ସାଧାରଣ ମଣିଷ ଦିନକୁ ମାତ୍ର ୫ ଗ୍ରାମରୁ କମ୍ ଲୁଣ ଖାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।
ଡବ୍ଲୁଏଚଓର ତଥ୍ୟ କହୁଛି ଅତ୍ୟଧିକ ଲୁଣ ଖାଇ ବର୍ଷକୁ ୧.୯ ମିଲିୟନ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ସ୍ୱାସ୍ଥ୍ୟ ଭଲ ରଖିବାକୁ ହେଲେ ଖାଦ୍ୟରୁ ଲୁଣର ପରିମାଣ କମାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।