କନକ ବ୍ୟୁରୋ: ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ଅନ୍ୟ ପଡ଼ୋଶୀ ରାଜ୍ୟ ତୁଳନାରେ ଯଥେଷ୍ଟ ଅଧିକ । ତଥାପି ଆମ ରାଜ୍ୟ ଲୋକ ଅଧିକ ବିଲ୍ ଗଣୁଛନ୍ତି । ଉତ୍ପାଦନ ଅଧିକ ହେଉଥିବାରୁ ଅନ୍ୟ ରାଜ୍ୟକୁ ବିଜୁଳି ବିକୁଛନ୍ତି ସରକାର । କିନ୍ତୁ ନିଜ ରାଜ୍ୟରେ ବିଜୁଳି ବିଲ୍ କମାଇବାର ନାଁ ଧରୁନାହାନ୍ତି । ବାରମ୍ବାର ବିଜୁଳି ବିଲ୍ ଚାପରେ ଗ୍ରାହକ ଚେପା ହେଉଥିବା ନଜିର ରହିଛି ।
ଓଡ଼ିଶାରେ ଏବେ ବିଜୁଳି ବିଲ୍ ୟୁନିଟ୍ ପିଛା ୫ ଟଙ୍କା ୮୮ ପଇସା ଦେଉଛନ୍ତି ଗ୍ରାହକ । ଯାହା ଅନ୍ୟ କେତେକ ରାଜ୍ୟ ତୁଳନାରେ ଢେର ଅଧିକ । ପାୱାର ଫାଇନାନ୍ସ କର୍ପୋରେସନ୍ ୨୦୨୨-୨୩ ରିପୋର୍ଟ ମୁତାବକ, ଓଡ଼ିଶାଠୁ କମ୍ ଦେଉଥିବା ରାଜ୍ୟ ମଧ୍ୟରେ
ପଞ୍ଜାବ ୟୁନିଟ୍ ପିଛା ୩ ଟଙ୍କା ୬୯ ପଇସା
ମଧ୍ୟପ୍ରଦେଶ ୩ ଟଙ୍କା ୭୭ ପଇସା
ରାଜସ୍ଥାନ ୩ ଟଙ୍କା ୭୯ ପଇସା
ଝାଡ଼ଖଣ୍ଡ ୪ ଟଙ୍କା ୩୭ ପଇସା
ବିହାର ୪ ଟଙ୍କା ୪୪ ପଇସା
ହରିୟାଣା ୪ ଟଙ୍କା ୮୩ ପଇସା
ତାମିଲନାଡୁ ୫ ଟଙ୍କା ୮୧ ପଇସା
ତେଲେଙ୍ଗାନାର ଗ୍ରାହକ ୫ ଟଙ୍କା ୪୮ ପଇସା ଦେଉଛନ୍ତି।
ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ଅଧିକ ଥିଲେ ବି ଏଠାକାର ଉପଭୋକ୍ତା କିନ୍ତୁ ଅଧିକ ବିଲ୍ ଗଣୁଛନ୍ତି। ଯାହା ଗ୍ରାହକଙ୍କ ଉପରେ ଚାପ ପକାଉଛି। ଏହି ବିଜୁଳି ବିଲ୍ କମାଇବାକୁ ନିର୍ବାଚନ ବେଳେ ସବୁ ଦଳ ପ୍ରତିଶ୍ରୁତି ଦେଇଥିଲେ। ସରକାର ବଦଳିଛି, କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ।
ବର୍ଦ୍ଧିତ ବିଜୁଳି ବିଲ୍ ଯୋଗୁ ଶିଳ୍ପମାନେ ଓଡ଼ିଶାରୁ ମୁହଁ ଫେରାଇ ନେବା ଭଳି ସ୍ଥିତି ଉପୁଜିଛି। ଅଧିକ ବିଦ୍ୟୁତ୍ ବିଲ୍ ଏମ୍ଏସ୍ଏମ୍ଇ ଓ ଶିଳ୍ପ ସଂସ୍ଥାର ପରିପନ୍ଥୀ ପାଲଟିଛି। ୟୁନିଟ୍ ପିଛା ଏତେ ଅଧିକ ବିଲ୍ ଦେଇ କେହି ନୂଆ ବ୍ୟବସାୟଟିଏ ଆରମ୍ଭ କରିବାକୁ ସାହସ ଜୁଟାଇପାରୁନାହାନ୍ତି। ଫଳରେ ଓଡ଼ିଶା ବିକାଶରେ ବିଦ୍ୟୁତ ବାଧକ ସାଜିଛି।
କହିବାକୁ ଗଲେ ବର୍ଦ୍ଧିତ ବିଜୁଳି ବିଲ୍ ରାଜ୍ୟରେ ଅର୍ଥନୈତିକ ବିକାଶର ଗତିରୋଧ କରୁଛି। ତେବେ ଉଚ୍ଚ ହାରରେ ବିଜୁଳି ନେଇ ସରକାର କୌଣସି ବାଟ ବାହାର କରୁନାହାନ୍ତି। ଓଇଆର୍ସିକୁ ଦାୟିତ୍ୱ ଟେକି ଦେଇ ଚୁପ୍ ବସିଛନ୍ତି ।