କନକ ବ୍ୟୁରୋ : କାଲିମେଳା ବ୍ଳକର ଆଦିବାସୀ ବହୁଳ ବଡ଼ିଗେଟା ପଂଚାୟତର ଟେକଗୁଡ଼ା-ବି ଗାଁ। ଗାଁର ୧୦ଟି ପରିବାର ପାଇଁ ୨୦୨୧/୨୨ ଆର୍ଥିକ ବର୍ଷରେ ପକ୍କା କାର୍ୟ୍ୟାଦେଶ ମିଳିଥିଲା। ସମୀର ନାୟକ ନାମକ ଠିକାଦାର ଘର କାମ ହାତକୁ ନେଇଥିଲେ। ୧୦ଟି ମଧ୍ୟରୁ ୫ଟି ଘର କରିବା ପାଇଁ ହିତାଧିକାରୀଙ୍କ ଠାରୁ ବ୍ୟାଙ୍କ ପାସ୍ବୁକ ଓ ୱାର୍କ ଅର୍ଡର ନେଇଥିଲେ। ହେଲେ ଠିକାଦାର ଘର କାମ ସଂପୂର୍ଣ୍ଣ ନକରି ଦେବେ ମାଡ଼କାମୀ ଓ କୋଷି କୱାସୀଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅଧାଗଢ଼ା ଘର ସାମ୍ନାପଟ କାନ୍ଥରେ ଚୁନ ମାରି, ଫଳକ ଲଗାଇ ଫାଇନାଲ ବିଲ କରାଯାଇଥିବା ଜଣାପଡ଼ିଛି। ଏଥିପାଇଁ ତତ୍କାଳୀନ ଜିଆରଏସ୍ ସହଯୋଗ ଯୋଗାଇ ଦେଇଥିବାର ସୂଚନା ମିଳିଛି ।

Advertisment

ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଘର ପିଛା ୧ଲକ୍ଷ ୩୦ ହଜାର ଟଙ୍କା ମଂଜୁର କରିଛନ୍ତି। କାର୍ୟ୍ୟାଦେଶ ମିଳିବା ପରେ ଗରୀବ ଆଦିବାସୀ ପରିବାର ପକ୍କାଘରେ ରହିବାର ସ୍ବପ୍ନ ଦେଖୁଥିଲେ। ଠିକାଦାର ଓ ବ୍ଳକ ପ୍ରଶାସନ ମଧୁଚନ୍ଦ୍ରିକାରେ ଆବାସ ଟଙ୍କା ହରିଲୁଟ୍ ହେବା ପରେ ସେ ସ୍ୱପ୍ନ ଭାଙ୍ଗି ଯାଇଛି। ଆଦିବାସୀଙ୍କ ସହାୟତା ଓ ଅଭାବୀପଣର ଫାଇଦା ଉଠାଇ ଠିକାଦାର ମାଲାମାଲ ହେଉଛନ୍ତି। ହେଲେ ଏ ସଂପର୍କରେ ବ୍ଲକ ପ୍ରଶାସନ ପାଖରେ କୌଣସି ଖବର ନାହିଁ। ସେପଟେ ଠିକାଦାର ଟଙ୍କା ଉଠାଇ ନେଇଥିବା ସ୍ୱୀକାର କରିଛନ୍ତି।