କନକ ବ୍ୟୁରୋ : ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ନାଟମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ଧାଡ଼ିଦର୍ଶନ ବ୍ୟବସ୍ଥା । ନୂଆବର୍ଷ ଭିଡ଼କୁ ଆଖି ଆଗରେ ରଖି ଏହି ବ୍ୟବସ୍ଥାକୁ ଘୁଞ୍ଚାଇ ଦିଆଯାଇଛି । ଚଳିତ ମାସ ୨୦ ତାରିଖ ପରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଉଛି । ସେପଟେ ଏହି ନୂଆ ବ୍ୟବସ୍ଥା ପୂର୍ବରୁ ଭୁବନେଶ୍ବରରେ କାଠରାମ୍ପ୍‌ ନିର୍ମାଣ ଚାଲିଛି । ଦିଲ୍ଲୀପ ଖଟେଇ ଏହି କାମ ନେଇଛନ୍ତି ଓ କାଠରାମ୍ପ୍‌ ନିର୍ମାଣ କରୁଛନ୍ତି ବୋଲି ଜଣାପଡ଼ିଛି । ସିଡି ଭଳି ଏକାଧିକ କାଠକୁନ୍ଦରେ ଏହି ରାମ୍ପ୍‌ ନିର୍ମାଣ କରାଯାଉଛି । ମଝିରେ ସାଦା ପଟା ଲଗାଯାଇଥିବା ବେଳେ ଦୁଇପାର୍ଶ୍ବରେ କାଠକୁନ୍ଦ ସବୁ ଲାଗିଛି । ନାଟମଣ୍ଡପର ନୂଆ ଧାଡ଼ିଦର୍ଶନ ବ୍ୟବସ୍ଥାରେ ଭକ୍ତମାନେ ସାତପାହାଚଠାରୁ ନାଟମଣ୍ଡପରେ ପ୍ରବେଶ ପରେ ଗରୁଡ଼ସ୍ତମ୍ଭଙ୍କୁ ମୁଣ୍ଡିଆ ମାରି ହୁଣ୍ଡି ଥିବା ସ୍ଥାନରୁ ଧାଡ଼ିରେ ପ୍ରବେଶ କରିବେ। ଭକ୍ତଙ୍କ ପାଇଁ ୬ଟି ଧାଡ଼ି କରାଯିବ । ପ୍ରଥମ ତିନିଧାଡ଼ି ମହିଳା, ବୃଦ୍ଧବୃଦ୍ଧା, ଶିଶୁ ଆଦିଙ୍କ ପାଇଁ ରହିବ। ଅବଶିଷ୍ଟ ତିନିଧାଡ଼ି ପୁରୁଷଙ୍କ ପାଇଁ ରହିବ । ପ୍ରତି କାଠରାମ୍ପ୍‌ର ଉଚ୍ଚତା ଅନ୍ୟଠାରୁ ୪ ଇଞ୍ଚ ଉଚ୍ଚରେ ରହିବ । ସେହି ଅନୁସାରେ ଆଗରେ ଭକ୍ତମାନେ ରହିଲେ ବି କାଠରାମ୍ପ୍‌ରେ ଯାଉଥିବା ଭକ୍ତ ମହାପ୍ରଭୁଙ୍କୁ ଦର୍ଶନରେ କୌଣସି ଅସୁବିଧା ହେବନି ।