କନକ ବ୍ୟୁରୋ: ଖବର ପ୍ରସାରଣର ୭ ମାସ ପରେ ବି ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ନିଦ ଭାଙ୍ଗିଲା ନାହିଁ । ଏବେ ବି ଭରା ନଦୀରେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଲୋକେ । ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ ବ୍ରହ୍ମବରଦା ନିକଟରେ ୯ ବର୍ଷ ହେଲାଣି ଅଧାରେ ଅଟକିଛି ବିଜୁ ସେତୁ ନିର୍ମାଣ । ଫଳରେ ଯାତୟାତରେ ଦୁର୍ଦ୍ଦଶା ଭୋଗୁଛନ୍ତି ୧୦ଟି ପଞ୍ଚାୟତର ଲୋକ ।

Advertisment

ନଦୀର ଗୋଟିଏ ପଟେ ରସଲପୁର ବ୍ଲକ ଅନ୍ୟପଟେ ସଦର ବ୍ଲକ । ବ୍ଲକର ୫୦ ହଜାରରୁ ଅଧିକ ଲୋକଙ୍କ ଯା’ଆସର ଏକମାତ୍ର ବିକଳ୍ପ ହେଉଛି ଡଙ୍ଗା । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେତୁ ନିର୍ମାଣ ଆରମ୍ଭ ହୋଇଥିଲା । ବିଜୁ ସେତୁ ଯୋଜନାରେ ୨୦୧୫ରେ ବ୍ରାହ୍ମଣୀ ନଦୀ ଉପରେ ୧୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ସେତୁ ନିର୍ମାଣ କରାଯାଉଛି । ଅବଧି ସରିଯାଇଥିଲେ ବି ପୋଲ କାମ ସରିବାର ନାଁ ନେଉନି । 

 ନଦୀରେ ଡଙ୍ଗା ବୁଡ଼ି ଅନେକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ବର୍ଷା ଦିନକୁ ଛାଡ଼ି ଅନ୍ୟଦିନେ ଲୋକ ଅସ୍ଥାୟୀ ରାସ୍ତା କରି ଯାଆସ କରୁଛନ୍ତି । ଏନେଇ ଖବର ପ୍ରସାରଣ ମଧ୍ୟ ହୋଇଥିଲା। ସ୍ଥାନୀୟ ଲୋକ ଆନ୍ଦୋଳନ କରି ରାଜ୍ୟ ସରକାରଙ୍କୁ ଲିଖିତ ଅଭିଯୋଗ ବି କରିଥିଲେ। ହେଲେ ଏହା ପରେ ବି ପ୍ରଶାସନର ନିଦ ଭାଙ୍ଗିଲା ନାହିଁ। ଏବେ ବି ତୁଟୁନି ଲୋକଙ୍କ ସମସ୍ୟା । ଆଉ ସରିପାରୁନି ପୋଲ କାମ । ସସସ୍ୟା ନେଇ ଅଭିଯୋଗ ପରେ ଅଭିଯୋଗ ହୋଇଚାଲିଛି । ଏନେଇ ବିଭାଗୀୟ ଅଧିକାରୀ କିମ୍ବା ଠିକାସଂସ୍ଥାର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଖୁବଶୀଘ୍ର କାମ ସାରିବାକୁ ଦାବି ହୋଇଛି ।