କନକବ୍ୟୁରୋ : କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କରାଯାଉଛି । ହେଲେ ବିଭାଗୀୟ ବାବୁ ମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ତାହା କାର୍ଯ୍ୟରେ ଲାଗୁନାହିଁ ।  ଚାଷୀ ପାଣିକୁ ଚାତକ ପରି ଅନାଇ ବସିଛି ହେଲେ ଦୀର୍ଘ ୫ବର୍ଷ ହେଲା ଚେକଡ୍ୟାମ ନିର୍ମାଣ ସରୁନି ।  କ୍ଷୁଦ୍ର ଜଳସେଚନ ବିଭାଗର ଠିକାଦାର ପ୍ରୀତି ପାଇଁ କାମ ଅଧାରେ ଅଟକିଥିବା ଅଭିଯୋଗ କରିଛନ୍ତି ଚାଷୀ ।  ଜୟପାଟଣା ବ୍ଳକ ଅଣ ଜଳସେଚିତ ଅଞ୍ଚଳ ଅଲାଭଟା ପଞ୍ଚାୟତର ଜରିଗୁମାରେ ଗାଈଧାର ନଦୀ ଉପରେ ନିର୍ମାଣ ହୋଇଛି ଚେକ୍ ଡ୍ୟାମ୍  ।

Advertisment

ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ୨୦୧୯ ରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଆରମ୍ଭ ଚେକ୍‌ଡ୍ୟାମ୍‌ କାମ ଆଜି ଯାଏଁ ସଂପୂର୍ଣ୍ଣ ହୋଇପାରିନାହିଁ । ୫ ବର୍ଷ ପରେ ବି ଅଧପନ୍ତରିଆ ହୋଇ ପଡ଼ିରହିଛି। ଠିକାଦାର ମନମାନୀ ଚଲାଇଥିବା  ବେଳେ ଚେଇଁ ଶୋଇଛି କ୍ଷୁଦ୍ର ଜଳସେଚନ ବିଭାଗ ।  ଖାଲି ଠିକାଦାରଙ୍କୁ ଜରିମାନା କରି ଚୁପ ବସିଛନ୍ତି ବିଭାଗୀୟ ଅଧିକାରୀ । 

ଚେକଡ୍ୟାମ କାର୍ଯ୍ୟକ୍ଷମ ନହେଉଣୁ ମେକାନିକାଲ ସରଞ୍ଜାମରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି  ।  ପଥର ବ୍ୟାଚିଂ ଠାରୁ ଆରମ୍ଭ କରି କଂକ୍ରିଟ ସବୁ କାମ ନିମ୍ନମାନର ବୋଲି ଅଭିଯୋଗ ହୋଇଛି  ।  ସେପଟେ ପାଇପ୍‌ ଲାଇନ ବିଛାଇବା ପାଇଁ ଠିକାଦାର ଜମିକୁ ଖୋଳି ନଷ୍ଟ କରୁଥିବାରୁ ଚାଷୀକୂଳ ଚିନ୍ତାରେ ପଡ଼ିଛି ।  ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଏବଂ କ୍ୟାମେରା ପଛରେ କହିଛନ୍ତି ତାଙ୍କ ପାଖରେ ତଥ୍ୟ ନାହିଁ ।