କନକ ବ୍ୟୁରୋ: ଲୋକଙ୍କ ଗମନା ଗମନ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କିଛି ଠକ ଠିକାଦାର ଓ ଅସାଧୁ ଅଧିକାରୀଙ୍କ ମେଣ୍ଟ ଯୋଗୁଁ ଯୋଜନାର ଫଳ ଲୋକଙ୍କୁ ମିଳିପାରୁ ନାହିଁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଏକ ନିର୍ମାଣଧିନ ବ୍ରିଜର ଅବସ୍ଥା ଦେଖିଲେ ଲାଗଛି, ଏଠି ସରକାରୀ ଯୋଜନା ପ୍ରହସନ ପାଲଟିଛି ।
ସମ୍ୱଲପୁର କୁଚିଣ୍ଡା ଭେଡେନ ନଦୀ ଉପରେ ଉପରେ ନିର୍ମାଣ ହେଉଥିବା ପୋଲକୁ ଦେଖନ୍ତୁ। ନିର୍ମାଣଧିନ ପୋଲର ଏକ ସ୍ଲାବ ଧନୁ ଭଳି ବଙ୍କା ହୋଇଗଲାଣି। ଜୟପୁରଗଡରୁ ରାଜବନ୍ଧକୁ ସଂଯୋଗ ପାଇଁ ନିର୍ମାଣ ହେଉଥିବା ବିଜୁ ସେତୁ ନିମ୍ନମାନର କାମ ଓ ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ କୋଟି କୋଟି ଟଙ୍କା ପାଣିରେ ପଡିଛି। ଅନ୍ୟପଟେ ଅଧାରୁ ଅଧିକ ବିଲ ହୋଇସାରିଲାଣି। ନିମ୍ନମାନର କାମ ନେଇ ବାରମ୍ୱାର ଅଭିଯୋଗ ସତ୍ୱେ ବେଫିକର ଠିକାଦାର ଓ ବେଫିକର ଗ୍ରାମ୍ୟ ଉନ୍ନୟନ ବିଭାଗ ।
ଜୟପୁରଗଡ଼ର ଏହି ସେତୁ ୨୦୨୨ରୁ ଆରମ୍ଭ ହୋଇ ୨୦୨୪ରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଅନଭିଜ୍ଞ ଠିକାଦାରଙ୍କ ଯୋଗୁଁ ଆଜି ଯାଏଁ ପୋଲର ଅଧା କାମ ସରିନାହିଁ । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ପୋଲ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି।
ବିଜୁ ସେତୁ ଯୋଜନାରେ ଭେଡେନ ନଦୀରେ ୯ କୋଟି ୩ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ସେତୁର ସ୍ଲାବ ନିମ୍ନମାନର କାମ ଯୋଗୁଁ ବଙ୍କା ହୋଇଯାଇଛି। ତୁରନ୍ତ ବଙ୍କା ସ୍ଲାବକୁ ଭାଙ୍ଗି ନୂଆରେ ତିଆରି କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।