କନକ ବ୍ୟୁରୋ : ଟ୍ରେନରେ ବିସ୍ଫୋରଣ ଷଡ଼ଯନ୍ତ୍ର । ରେଳ ଧାରଣାରୁ ମିଳିଲା ଡେଟୋନେଟର୍ ଗ୍ୟାସ୍ ସିଲିଣ୍ଡର । ଆର୍ମି ଯବାନଙ୍କୁ ନେଇ ଯାଉଥିବା ଟ୍ରେନକୁ ବିସ୍ଫୋରଣରେ ଉଡାଇଦେବାକୁ ପ୍ରୟାସ କରାଯାଇଛି । ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ସେନା ଯବାନଙ୍କୁ ନେଇ ଯାଉଥିବା ଏକ ଟ୍ରେନକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ହୋଇଥିବା ପ୍ରୟାସ ପଣ୍ଡ ହୋଇଛି । ରେଳ ଧାରଣାରୁ ୧୦ଟି ଡେଟୋନେଟର ମିଳିଥିବା ବେଳେ ଏହାକୁ ନେଇ ବ୍ୟାପକ ଖୋଳତାଡ଼ ଜାରି ରହିଛି । ୧୦ଟି ଡେଟୋନେଟର ମିଳିଥିବା ବେଳେ ଏହାକୁ ନେଇ ବ୍ୟାପକ ଖୋଳତାଡ଼ ଜାରି ରହିଛି ।
ସେନାର ସ୍ୱତନ୍ତ୍ର ଟ୍ରେନ୍ ଜମ୍ମୁ-କଶ୍ମୀରରୁ କର୍ଣ୍ଣାଟକ ଅଭିମୁଖେ ଯାତ୍ରା କରୁଥିବା ବେଳେ ସଗଫାଟା ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି । ଟ୍ରେନ୍ ଡେଟୋନେଟରକୁ ଅତିକ୍ରମ କରିବା ପରେ ବିସ୍ଫୋରଣ ଯୋଗୁଁ ଡ୍ରାଇଭର ସତର୍କ ହୋଇ ଯାଇଥିଲେ ଏବଂ ତୁରନ୍ତ ଟ୍ରେନ୍ ଅଟକାଇ ଦେଇଥିଲେ । ଏହାପରେ ସେ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ । ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍), ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ), ରେଳବାଇ ଏବଂ ସ୍ଥାନୀୟ ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି । ଘଟଣାସ୍ଥଳରୁ ୧୦ଟି ଡିଟୋନେଟର ଜବତ କରାଯାଇଛି । ଅନ୍ୟ ଏକ ଘଟଣାରେ ୟୁପିରେ ମଧ୍ୟ ରେଳ ଧାରଣାରୁ ଗ୍ୟାସ ସିଲିଣ୍ଡର ମିଳିଛି । ଟ୍ରେନ୍ ଲାଇନଚ୍ୟୁତ କରିବା ପାଇଁ ସେଠାରେ ମଧ୍ୟ ଷଡ଼ଯନ୍ତ୍ର ଉଦ୍ୟମ ବିଫଳ ହୋଇଛି । ଉତ୍ତରପ୍ରଦେଶର କାନପୁରର ପ୍ରେମପୁର ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଆଜି ଏକ ଖାଲି ଗ୍ୟାସ ସିଲିଣ୍ଡର ମିଳିଥିଲା । ମାଲବାହୀ ଟ୍ରେନ୍ ଲୋକୋ ପାଇଲଟ ଟ୍ରେନକୁ ଅଟକାଇବା ପାଇଁ ଜରୁରୀକାଳୀନ ବ୍ରେକ୍ ଲଗାଇ ଥିଲେ । କାନପୁରରୁ ପ୍ରୟାଗରାଜ ଅଭିମୁଖେ ଟ୍ରେନ୍ ଯାଉଥିବା ବେଳେ ସକାଳ ୮ଟା ୧୦ମିନିଟରେ ଏହି ଘଟଣା ଘଟିଥିବା ପୁଲିସ କହିଛି । ସିଲିଣ୍ଡରଟି ୫ କିଲୋଗ୍ରାମ କ୍ଷମତା ବିଶିଷ୍ଟ ଏବଂ ଏହାକୁ ଟ୍ରାକରୁ ହଟାଇ ଦିଆଯାଇଥିଲା । ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛି । ଚଳିତ ମାସରେ ଉତ୍ତରପ୍ରଦେଶରେ ଏହା ଦ୍ୱିତୀୟ ଘଟଣା । ଗତ ସେପ୍ଟେମ୍ବର ୮ ତାରିଖରେ ପ୍ରୟାଗରାଜରୁ ଭିୱାନୀ ଅଭିମୁଖେ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସ୍ ରେଳ ଧାରଣା ଉପରେ ଏଲପିଜି ସିଲିଣ୍ଡର ରଖି ଏହାକୁ ଲାଇନଚ୍ୟୁତ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା