କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା ତାହା କଣ ସତ ହେବାକୁ ଯାଉଛି କି ? ସବୁ ଦିନ ପାଇଁ ଅସ୍ତିତ୍ବ ହରାଇବ କି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଚିରଶ୍ରୋତା ଖଣ୍ଡାଧାର ଜଳପ୍ରପାତ l ଲଗାତର ୨/୩ ଦିନ ଧରି ଜଳପ୍ରପାତର ଜଳଧାରା ସାମୟିକ ଭାବେ ବନ୍ଦ ହେବା ପରେ ଏଭଳି ଆଶଙ୍କା ଦେଖାଦେଇଛି । ତେବେ ପୁଣି ଥରେ ଖଣ୍ଡାଧାରରୁ ପାଣି ଝରିବା ପରେ ଆଶ୍ବସ୍ତି ମିଳିଛି । ହେଲେ, ଆଶଙ୍କା ଟଳିନି । ଅନ୍ୟପଟେ ଖଣ୍ଡାଧାରର ଏଭଳି ପରିସ୍ଥିତି ପାଇଁ ବିରାଟ ଷଡ଼୍ଯନ୍ତ୍ରର ଗନ୍ଧ ବାରିଛନ୍ତି ସ୍ଥାନୀୟ ଲୋକ।
ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କ ଆକର୍ଷିତ କରୁଥିବା କେନ୍ଦୁଝର ଖଣ୍ଡାଧାର ଜଳପ୍ରପାତର ଦୃଶ୍ୟ । ଯେଉଁ ଜଳପ୍ରପାତରୁ କାହିଁ କେଉଁ କାଳରୁ କଳକଳ କରି ଅହରହ ଝରୁଥିଲା ଜଳଧାରା, ଏବେ ସେଠି ଏମିତି ସ୍ଥିତି। ବୁଧବାର ଜଳପ୍ରପାତରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ଜଳସ୍ରୋତ । ଅବଶ୍ୟ ଦିନକ ପରେ ପୁଣି ପାହାଡ଼ ଉପରୁ ଝରିଛି ପାଣି । କିନ୍ତୁ ଚିରସ୍ରୋତା ଖଣ୍ଡାଧାରାର ଏଭଳି ସ୍ଥିତି ସମସ୍ତଙ୍କୁ ବ୍ୟଥିତ କରିଛି। ଭବିଷ୍ୟତରେ ଖଣ୍ଡାଧାରାର ଅସ୍ତିତ୍ବକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଏଭଳି ସ୍ଥିତି ପଛରେ ସାଂଘାତିକ ଷଡ଼୍ଯନ୍ତ୍ର ଗନ୍ଧ ସାମନାକୁ ଆସିଛି । ଖଣ୍ଡାଧାରର ଉପର ମୁଣ୍ଡରେ ମନଇଛା ଖଣି ଖନନକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ।
ଅଧିକ ପଢନ୍ତୁ .... ବିଷ୍ଣୁଙ୍କ ଦିନରେ ଶୈବ ଉପାସନାର ଅନନ୍ୟ ପରମ୍ପରା : ଜାଗର ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଖଣ୍ଡାଧାରର ଉପରମୁଣ୍ଡରେ ପହଁଚିଥିଲା ଆମ ଟିମ୍ । ପାହାଡ଼ ଉପରେ ଯାହା କ୍ୟାମେରାରେ କଏଦ ହୋଇଥିଲା ତାହା ଚମକାଇ ଦେବା ଭଳି । ଖଣ୍ଡାଧାର ଠାରୁ ଅଳ୍ପ କିଛି ଦୂରରେ ବେଧଡ଼କ ଭାବେ ଚାଲିଛି ଖଣି ଖୋଳା ପାହାଡ଼ରେ ବ୍ଲାଷ୍ଟିଂ କରି, ବଡ଼ ବଡ଼ ମେସିନ୍ ଲଗାଇ ଲୁହାପଥର ତାଡ଼ି ନେଉଛନ୍ତି ଲିଜଧାରୀ ଖଣି କମ୍ପାନୀ । ଯାହାର ପ୍ରଭାବ ସିଧାସଳଖ ଖଣ୍ଡାଧାରର ଜଳପ୍ରବାହ ଉପରେ ପଡିଛି ବୋଲି କୁହାଯାଉଛି ।
ଝରଣାରୁ ବହି ଆସୁଥିବା ଜଳ ତାର ଦିଗ ପରିବର୍ତ୍ତନ କରୁଥିବାରୁ ଏମିତି ସ୍ଥିତି ଉପୁଜିଛି । ହେଲେ, କେନ୍ଦୁଝର ଡିଏଫଓ କହିଛନ୍ତି ଉପରମୁଣ୍ଡରେ କାଦଦଳା ଅଞ୍ଚଳର ଲୋକେ ପାଣି ଅଟକାଇ ଖରାଟିଆ ଚାଷ କରିବାରୁ ଜଳ ପ୍ରବାହ କମିଛି। ଏବେ ପ୍ରଶ୍ନ ଉଠୁଛି, ଖଣ୍ଡାଧାରକୁ ମାରି ଦେବା ପାଇଁ ହୋଇଛି କି ବଡ଼ ଷଡ଼୍ଯନ୍ତ୍ର ? ଖଣି କମ୍ପାନିକୁ ଅନୁମତି ଦେବା ପୂର୍ବରୁ ସବୁ ଦିଗରୁ ଅନୁଧ୍ୟାନ କରାଯାଇଥିଲା ତ ? ଖଣି କମ୍ପାନି ନିୟମ ଅନୁସାରେ ଲୁହାପଥର ଉତ୍ତୋଳନ କରୁଛନ୍ତି ତ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/khandadhar-2026-02-13-20-43-34.jpg)