କନକ ବ୍ୟୁରୋ: ନଡ଼ିଆ ଗବେଷଣା କେନ୍ଦ୍ର ପାଇଁ ନାହିଁ କି ସରକାରଙ୍କ ଆନ୍ତରିକତା ? ଉନ୍ନତୀକରଣ ବଦଳରେ ନଡ଼ିଆ ଗବେଷଣା କେନ୍ଦ୍ର ଜମିକୁ ଘରୋଇ ସଂସ୍ଥା ହାତକୁ ଟେକିଦେବାକୁ ହୋଇଛି ମସୁଧା । ଏଥିପାଇଁ ସରିଛି ଟେଣ୍ଡର ଆହ୍ବାନ । ଏପରି ହେଲେ ଉଜୁଡ଼ିବ ଗବେଷଣା, ସରକାରଙ୍କ ପାଖରେ ରହିବ ମାତ୍ର ୨ ବଖରା ଆଜବେଷ୍ଟସ ଘର । ଗବେଷଣା କେନ୍ଦ୍ର ପରିସରରେ ଥିବା ଅଢ଼େଇ ହଜାର ନଡ଼ିଆ ଗଛ କଟା ହେବାର ଆଶଙ୍କା ମଧ୍ୟ ରହିଛି । ପ୍ରତିବାଦରେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ନଡ଼ିଆ ଚାଷୀ । ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ । 
 
ସତ୍ୟବାଦୀର ଗର୍ବ ନଡ଼ିଆ, ପରିଚୟ ନାରିକେଳ ଗବେଷଣା କେନ୍ଦ୍ର । ଖାଲି ଏତିକି ନୁହେଁ ଓଡ଼ିଆ ଅସ୍ମିତାର ପ୍ରତୀକ ନଡ଼ିଆ । ସାଢ଼େ ୪ କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଫଳ । ସେଥିପାଇଁ ତ ଏହାକୁ କୁହାଯାଏ ଶ୍ରୀଫଳ । କିନ୍ତୁ ସେହି ନଡ଼ିଆ ଗବେଷଣା କେନ୍ଦ୍ରକୁ ଭାଗ ଭାଗ କରିବା କେତେଦୂର ଠିକ୍‌? ତାକୁ ନେଇ ପ୍ରଶ୍ନ ଉଠିଛି ।

Advertisment

୧୨୪ ଏକର ଜମିରେ ପ୍ରତିଷ୍ଠା ହୋଇଥିଲା ନଡ଼ିଆ ଗବେଷଣା କେନ୍ଦ୍ର । ପୂର୍ବରୁ 'ଓୟୁଏଟି'କୁ ଦିଆଯାଇଛି ୪୨ ଏକର ଜମି । କୃଷି ବିଭାଗ ନେଇ ସାରିଛି ୮ ଏକର ଜମି । ୧୦ ଏକର ଜମି ଆଦର୍ଶ ବିଦ୍ୟାଳୟକୁ ମିଳିଛି । ବାକି ୬୪ ଏକର ଜମିକୁ ଲିଜ୍‌ ଦେବା ପାଇଁ ଟେଣ୍ଡର ହୋଇଛି । 
 
ଘଟଣା ସାମ୍ନାକୁ ଆସିବା ପରେ ସରକାରଙ୍କ ଆଭିମୁଖ୍ୟ ନେଇ ଉଠିଛି ପ୍ରଶ୍ନ । ନଡ଼ିଆ ଗବେଷଣା କେନ୍ଦ୍ରର ଉନ୍ନତୀକରଣ ପାଇଁ କାହିଁକି ଉଦାସୀନ ସରକାର ? ନଡ଼ିଆ ଚାଷଙ୍କୁ କାହିଁକି ମିଳୁନି ସରକାରୀ ସହାୟତା ? ଇଚ୍ଛାଶକ୍ତିର ଅଭାବ ନା ଅନ୍ୟ କିଛି ଚାପ ? ଉତ୍ତର ରଖିବେ କି କୃଷିମନ୍ତ୍ରୀ ?