କନକ ବ୍ୟୁରୋ: ଗୁଜରାଟରେ କଂଗ୍ରେସ ତୁଙ୍ଗନେତାଙ୍କ ମେଳି । ବିହାର, ଗୁଜରାଟ ସମେତ ୬ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଆଜି ଅହମ୍ମଦାବାଦରେ ଦୁଇଟି ବଡ଼ ବୈଠକର ଆୟୋଜନ କରିଛି । CWC ମିଟିଂ ସହ ଆରମ୍ଭ ହେବ କଂଗ୍ରେସ ୮୪ତମ ଅଧିବେଶନ ।
ଅହମ୍ମଦାବାଦରେ ଓ ସାବରମତୀରେ ୨ବଡ଼ ବୈଠକ
୬୪ବର୍ଷ ପରେ ପ୍ରଥମ ଥର ପାଇଁ ଗୁଜରାଟରେ ଆୟୋଜିତ ହୋଇଛି କଂଗ୍ରେସ ମହାଅଧିବେଶନ । ଦଳକୁ ସାଂଗଠନିକ ସ୍ତରରେ ଅଧିକ ମଜଭୁତ କରିବା ଆଜିର ବୈଠକରେ ବଡ଼ ରଣନୀତି ପ୍ରସ୍ତୁତ କରାଯିବା ସହ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଦଳର ଶୀର୍ଷ ନେତୃବୃନ୍ଦ ବୈଠକରେ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ ଆଜିର ବୈଠକରେ ମୋଟ ୧୬୯ଜଣ ନେତା ଯୋଗ ଦେଇଛନ୍ତି । ଜାତିଭିତ୍ତିକ ଜନଗଣନା, ୱାକଫ ସଂଶୋଧନ ଆଇନ, ଇଣ୍ଡିଆ ମେଣ୍ଟର ଆଗାମୀ ରଣନୀତି, ଦେଶର ଆର୍ଥିକ ସ୍ଥିତି, ସମ୍ବିଧାନକୁ ବିଜେପି ଓ RSS ଦୁର୍ବଳ କରୁଥିବା ଅଭିଯୋଗ, ନିର୍ବାଚନରେ ଭୋଟର ତାଲିକାରେ ଗଡ଼ବଡ଼ ପରି ପ୍ରସଙ୍ଗରେ ଆଲୋଚନା କରାଯାଉଛି । ଏଥିସହ ଭାରତ ଉପରେ ଆମେରିକା ରେସିପ୍ରୋକାଲ ଟାରିଫ ଶୁଳ୍କକୁ ନେଇ ଚର୍ଚ୍ଚା କରାଯାଉଛି ।
ବୈଠକ ସରିବା ପରେ ତୁଙ୍ଗନେତା ସାବରମତୀ ଯାଇ ବାପୁଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇବେ । କାଲି ଅର୍ଥାତ ଏପ୍ରିଲ ୯ରେ ସାବରମତୀରେ ଏଆଇସିସି ବିଶାଳ ଅଧିବେଶନ ବସିବ । ଯେଉଁଥିରେ ସାରା ଦେଶରୁ ୨୫୦୦ ନେତା ଯୋଗ ଦେବେ । ତେବେ ଚର୍ଚ୍ଚା ହେଉଛି ପ୍ରିୟଙ୍କା ଗାନ୍ଧୀଙ୍କୁ କାଲି ବଡ ଦାୟିତ୍ବ ଦିଆଯାଇପାରେ । ପୂର୍ବରୁ ଉତ୍ତରପ୍ରଦେଶ ଓ ହିମାଚଳ ପ୍ରଦେଶରେ ପ୍ରିୟଙ୍କା ସକ୍ରିୟ ଭୂମିକା ଦେଖିବାକୁ ମିଳିଥିଲା । ପରେ ୱାୟନାଡ଼ ଉପନିର୍ବାଚନ ଜିତି ପ୍ରତ୍ୟକ୍ଷ ରାଜନୀତିରେ ଏଣ୍ଟ୍ରି କରିଥିଲେ ଆଉ ଏବେ ଆଗାମୀ ନିର୍ବାଚନ ପାଇଁ ଦଳ ପୁଣି ଗୁରୁଦାୟିତ୍ବ ଦେଇପାରେ ।