କନକ ବ୍ୟୁରୋ: ବିଳମ୍ବରେ ହେଲେ ବି ବସିବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଦୀର୍ଘ ୫ମାସ ପରେ ବସୁଥିବାରୁ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ତୟାର ହେଲେଣି ବିରୋଧୀ । ସ୍ବଳ୍ପ ସମୟର ଅଧିବେଶନ ହୋଇଥିଲେ ବି ବେଶ୍‌ ସରଗରମ ରହିବ ବିଧାନସଭା । 

Advertisment

ମୌସୁମୀ ଓଡ଼ିଶାରୁ ବିଦାୟ ନେବାକୁ ବସିଲାଣି, ହେଲେ ଏଥର ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ବହିବ ଝଡ଼ । ସ୍ବଳ୍ପ କାର୍ଯ୍ୟଦିବସ ଥିଲେ ବି ବେଶ୍ ସରଗରମ ରହିବ ଗୃହକାର୍ଯ୍ୟ । କାରଣ ମାଳମାଳ ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିବାକୁ ସଜବାଜ ହେଉଛନ୍ତି ବିରୋଧୀ । 

କଂଗ୍ରେସ: ରାଜ୍ୟରେ ଆଇନ ଶୃଙ୍ଖଳା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାର ବିରୋଧରେ ଅନାସ୍ଥା ଆଣିବାକୁ ପ୍ରସ୍ତୁତ ହେଉଛି ଦଳ । କାରଣ ବିଧାନସଭା ବସିବାର ଗୋଟିଏ ମାସ ପୂର୍ବରୁ ଅନାସ୍ଥା ଆଣିବାକୁ ରଣହୁଙ୍କାର ଦେଇ ବିଜେଡି କୋର୍ଟକୁ ବଲ୍ ଫିଙ୍ଗିଥିଲେ ପିସିସି ସଭାପତି । ଯଦି ଅନାସ୍ଥା ଆସେ ତାହେଲେ ବେଶ ରୋଚକ ହେବ ବିଧାନସଭା ଅଧିବେଶନ । 

ବିଜେଡି: ସାର ସମସ୍ୟାକୁ ନେଇ ରାଜଭବନ ସମ୍ମୁଖରେ ହଲ୍ଲାବୋଲ କରିଛି ବିଜେଡି । ତେଣୁ ସାର ଅଭାବ ସହ ଅନ୍ୟ ଚାଷୀ ପ୍ରସଙ୍ଗକୁ ମୁଦ୍ଦା କରିବ ଦଳ । ବାଲି ହରଚଣ୍ଡୀଠାରୁ ନେଇ ଗୋପାଳପୁର ଗଣଦୁଷ୍କର୍ମ, ବାଲେଶ୍ବର ପୀଡ଼ିତାଙ୍କଠାରୁ ବଳଙ୍ଗା ପୀଡ଼ିତାଙ୍କ ପ୍ରସଙ୍ଗ । ଆଉ ରଥଯାତ୍ରା ସମୟରେ ଦଳଚକଟା ବି ଉଠାଇବ ଦଳ । 

ବିଜେପି: ବିରୋଧୀ ଗୃହରେ ଯେଉଁ ଯେଉଁ ପ୍ରସଙ୍ଗ ଉଠାଇବେ ସଫଳତାର ସହ ଏହାକୁ ମୁକାବିଲା କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଶାସକ ଦଳ । ୧୮ତାରିଖରେ ବସିବ ବିଜେପି ବିଧାୟକ ଦଳ ବୈଠକ ।

ଗୃହକୁ ସ୍ବାଭାବିକ ଏବଂ ସୁପରିଚାଳନା କରାଇବା ପାଇଁ ବାଚସ୍ପତି ଡକାଇଥିଲେ ସର୍ବଦଳୀୟ ବୈଠକ । ସଠିକ ଢଙ୍ଗରେ ଗୃହକୁ ଚଳାଇବା ପାଇଁ ବିଭିନ୍ନ ଦାବି ରଖିଛନ୍ତି ବିରୋଧୀ ।