କନକ ବ୍ୟୁରୋ : ‘ଭୋଟ୍‌ ଚୋରି’ ଅଭିଯାନକୁ ବଢ଼ାଇବା ପାଇଁ କଂଗ୍ରେସ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ଭିଡିଓ ଜାରି କରୁଛି । ଏଥର ଜାରି କରାଯାଇଥିବା ଭିଡିଓରେ ଦେଖାଯାଉଛି ଯେ କିପରି ଲୋକଙ୍କ ଭୋଟ୍‌ ଚୋରି ହେଉଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ୍ସରେ ଭିଡିଓ ସେୟାର କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି ଯେ ଏବେ ଆଉ ନୁହେଁ, ଜନତା ଏବେ ନିଦରୁ ଉଠି ସାରିଛନ୍ତି । ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନକଲି ଭୋଟ୍‌ ଦେବା ସମ୍ବନ୍ଧୀୟ ଏକ ଭିଡିଓ ସେୟାର କରିଥିଲେ । ଭିଡିଓ ମାଧ୍ୟମରେ ଖଡ଼ଗେ ଲୋକଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ନିଜର ସ୍ୱର ଉତ୍ତୋଳନ କରନ୍ତୁ ଏବଂ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ବିଜେପିର କବ୍‌ଜାରୁ ରକ୍ଷା କରିବାରେ ସେମାନଙ୍କୁ ସାହାଯ୍ୟ କରନ୍ତୁ ।

Advertisment
vote chori
vote chori Photograph: (google)

ରାହୁଲ ଗାନ୍ଧୀ ଭୋଟ୍‌ ଚୋରି ଅଭିଯାନକୁ ବ୍ୟାପକ ସ୍ତରରେ ପ୍ରସାର କରିବା ପାଇଁ ଆଉ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ କରି ବିଜେପି ଉପରେ ଟାର୍ଗେଟ କରିଛନ୍ତି । ରାହୁଲ ଲେଖିଛନ୍ତି ଯେ ‘ଚୋରି ଚୋରି ଚୁପକେ ଚୁପକେ... କିନ୍ତୁ ଏବେ ଆଉ ନୁହେଁ, ଜନତା ଏବେ ଉଠି ସାରିଛନ୍ତି ।’ ସେହିପରି ପ୍ରିୟଙ୍କା ଗାନ୍ଧୀ ଭିଡିଓ ସେୟାର କରି ଲେଖିଛନ୍ତି ଯେ ‘କ’ଣ ତୁମର ବି ଭୋଟ୍‌ ଚୋରି ହୋଇଛି କି ? ହେଲେ ଏବେ ଆଉ ନୁହେଁ, ଭୋଟ୍‌ ଚୋରି ବନ୍ଦ କର ।’ କଂଗ୍ରେସ ଯେଉଁ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି ସେଥିରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ପୁଲିସ ଷ୍ଟେସନରେ ନିଜ ଭୋଟ୍‌ ଚୋରି ହେବାର ରିପୋର୍ଟ ଲେଖାଇବାକୁ ଯାଉଛନ୍ତି । ପୁଲିସ କହୁଛନ୍ତି ଯେ ଭୋଟ୍‌ କିପରି ଚୋରି ହୁଏ । ଏହାକୁ ନେଇ ବ୍ୟକ୍ତି କହୁଛନ୍ତି ଯେ କେବଳ ଗୋଟିଏ ନୁହେଁ ଲକ୍ଷ ଲକ୍ଷ ଭୋଟ୍‌ ଚୋରି ହେଉଛି । ସେ କହିଛନ୍ତି ଯେ ଭୋଟର ତାଲିକାରୁ ନାଁ କାଟି ନକଲି ଭୋଟ୍‌ ଦେଇ ଭୋଟ୍‌ ଚୋରି କରାଯାଉଛି । ଏହାପରେ ପୁଲିସବାବୁ ପରସ୍ପର ସହିତ କଥାବାର୍ତ୍ତା ହୋଇ କହୁଛନ୍ତି ଯେ କ’ଣ ଆମର ବି ଭୋଟ୍‌ ଚୋରି ହୋଇଯାଇନାହିଁ ତ !

ତେବେ ଏହା ଭୋଟ୍‌ ଚୋରି ଅଭିଯାନକୁ ନେଇ ପ୍ରଥମ ଭିଡିଓ ନୁହେଁ , ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଏକ ଭିଡିଓ ସେୟାର କରିସାରିଛି । ଯେଉଁଥିରେ ଦେଖାଯାଇଛି ଯେ ନକଲି ଭୋଟ୍‌ କିପରି ଦିଆଯାଏ । ରାହୁଲ ଏହି ଭିଡିଓକୁ ସେୟାର କରି କ୍ୟାପସନ ଦେଇଥିଲେ ଯେ ତୁମର ଭୋଟ୍‌ ଚୋରି ତୁମ ଅଧିକାର ଏବଂ ପରିଚୟର ଚୋରି । ସୂଚନାଯୋଗ୍ୟ ଯେ କଂଗ୍ରେସ ଏହି ଅଭିଯାନ ସହିତ ଯୋଡ଼ି ହେବା ପାଇଁ ଏକ ୱେବ୍‌ ପୋର୍ଟାଲ ଲଞ୍ଚ କରିଛି । ଏହି ୱେବ୍‌ ପୋର୍ଟାଲର ଉଦ୍ଦେଶ୍ୟ ହେଉଛି ଯେ ଲୋକମାନେ ଭୋଟ୍‌ ଚୋରି ବିରୋଧରେ ନିର୍ବାଚନ ଆୟୋଗଙ୍କଠାରୁ ଜବାବ ଦେବା ପାଇଁ ଦାବି କରିପାରିବେ ।