କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ସେପ୍ଟେମ୍ବର ୧୯ ତାରିଖରେ ସିନ୍ଧୁ ନଦୀର ଜଳକୁ ନେଇ ଏକ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ବିଶ୍ୱବ୍ୟାଙ୍କର ସହାୟତାରେ ପ୍ରସ୍ତୁତ ହୋଇଥିଲା । ଏହି ଚୁକ୍ତିରେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ପାକିସ୍ତାନର ରାଷ୍ଟ୍ରପତି ଆୟୂବ ଖାନ ହସ୍ତାକ୍ଷର କରିଥିଲେ । ଏହି ଚୁକ୍ତିରେ ସିନ୍ଧୁ ନଦୀ ପ୍ରଣାଳୀରେ ଆସୁଥିବା ୬ଟି ନଦୀ ଯଥା ରାବୀ, ବ୍ୟାସ ଓ ସତଲୁଜ ନଦୀର ପାଣି ଭାରତକୁ ଦିଆଗଲା ଓ ସିନ୍ଧୁ, ଝେଲମ୍ ଓ ଚିନାବର ପାଣି ପାକିସ୍ତାନ ନେଇପାରିବ । ଏହାସହ ଏ ସମସ୍ତ ନଦୀର କିଛି କିଛି ପାଣି ଉଭୟ ଦେଶ ବ୍ୟବହାର କରିପାରିବେ ବୋଲି ଉଲ୍ଲେଖ ରହିଛି ।
ଯଦି ଆମେ ସିନ୍ଧୁ ଜଳ ଚୁକ୍ତିର ଇତିହାସ ଦେଖିବା ତେବେ ଦେଶ ସ୍ୱାଧୀନ ପାଇବା ପରେ ଦୁଇଭାଗରେ ବିଭକ୍ତ ହୋଇଥିଲା । କେବଳ ଦେଶ ବିଭାଜନ ହୋଇନଥିଲା ପଞ୍ଜାବ ପ୍ରାନ୍ତକୁ ବି ଦୁଇଭାଗରେ ବିଭକ୍ତ କରାଯାଇଥିଲା । ଏହି କ୍ରମରେ ପଞ୍ଜାବ ପ୍ରାନ୍ତ ଦେଇ ପ୍ରବାହିତ ହେଉଥିବା ନଦୀର ଜଳକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏସବୁ ନଦୀର ଜଳକୁ ଭାଗ କରିବା ସେତେବେଳେ ଉଭୟ ଭାରତ ଓ ପାକିସ୍ତାନ ସରକାର ପାଇଁ ଜଟିଳ ଥିଲା । ଏନେଇ ଉଭୟ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଥିଲା । ଏହି ନଦୀଗୁଡିକ ତିବ୍ୱଲ ଅଂଚଳରୁ ବାହାରି ଭାରତ ଦେଇ ପାକିସ୍ତାନରେ ପ୍ରବେଶ କରିଛି । ପାକିସ୍ତାନ ଭାଗରେ ନଦୀର ତଳସ୍ତର ପହଂଚୁଥିବାରୁ ପାକିସ୍ତାନର ଚାଷୀ ଏହି ନଦୀମାନଙ୍କର ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି ।
ଏହି ଚୁକ୍ତିକୁ ନେଇ ରାମଚନ୍ଦ୍ର ଗୁହା ଲେଖିଛନ୍ତି କି, ଚୁକ୍ତିକୁ ନେଇ କଂଗ୍ରେସ ପାର୍ଟି ଭିତରେ କନ୍ଦଳ ଦେଖାଦେଇଥିଲା । ସେତେବେଳେ ଦଳର କିଛି ବରିଷ୍ଠ ନେତା କହିଥିଲେ କି, ଯଦି ସର୍ଦ୍ଦାର ପଟେଲ ଥାଆନ୍ତେ ତେବେ ନେହରୁଙ୍କୁ ଚୁକ୍ତି ନେଇ ଏତେ ସ୍ୱାଧୀନତା ମିଳିନଥାନ୍ତା । ଏହି ଚୁକ୍ତି କ୍ରମରେ ସିନ୍ଧୁ, ଝେଲମ ଓ ଚେନାବ ନଦୀର ପାଣି ପାକିସ୍ତାନକୁ ଦିଆଯିବାର ପ୍ରାବଧାନ ରହିଛି । ଏହି ୩ଟି ନଦୀରେ ମୋଟ ୯୯ ଆରବ ଘନ ମିଟର ପାଣି ରହିଛି । ସେପଟେ ଭାରତକୁ ମିଳିଥିବା ୩ ନଦୀ ରାବୀ, ବ୍ୟାସ୍ ଓ ସତଲୁଜରେ ମୋଟ ୪୧ ଆରବ ଘନ ମିଟର ପାଣି ରହିଛି । ସେତେବେଳେ କିଛି କଂଗ୍ରେସ ନେତାଙ୍କ ବୟାନ ଏଭଳି ଥିଲା । ଏସବୁ ନଦୀର ଉପରମୁଣ୍ଡ ଭାରତ ସୀମାରେ ରହିଥିବାରୁ ଏହି ଚୁକ୍ତିରେ ଭାରତ ଅଧିକ ଫାଇଦା ଉଠାଇପାରିଥାନ୍ତା ।