କନକ ବ୍ୟୁରୋ: ସୁନ୍ଦରଗଡ଼ରେ ରାଜ୍ୟର ସବୁଠାରୁ ବଡ଼ କୋଇଲା ଚୋରି ଘଟଣା । ଆଜି ଗ୍ରାଉଣ୍ଡ ଜିରୋରେ ପହଚି ସ୍ଥିତି ପରଖିବ ରାଜ୍ୟ କଂଗ୍ରେସର ମାଇନିଂ ଟିମ । ଅଧ୍ୟକ୍ଷ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ପ୍ରତିନିଧି ଦଳ କୋଇଲା ଚୋରି ହୋଇଥିବା ପ୍ରତ୍ୟେକ ସ୍ଥାନକୁ ଯାଇ ସ୍ଥିତି ଦେଖିବ । ଏହା ପୂର୍ବରୁ କୋଇଲା ଲୁଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା ରାଜ୍ୟ କଂଗ୍ରେସ । ସୁନ୍ଦରଗଡ଼ ଜିଲ୍ଲା ଏମ୍ସିଏଲ୍ ଖଣି କ୍ଷେତ୍ର ଗୋପାଳପୁର ଅଞ୍ଚଳରେ ଗତ କିଛି ବର୍ଷ ଧରି ଚାଲିଥିଲା ବଡ଼ କୋଇଲା ଲୁଟ୍ର କାରବାର। ଏହି ବଡ଼ ଲୁଟର ପର୍ଦ୍ଦାଫାସ ନେଇ ଗତ ଏକ ମାସ ହେବ ଲଗାତାର ଭାବେ ଖବର ପ୍ରସାରଣ କରିଆସୁଛି କନକ ନ୍ୟୁଜ୍ । ଜଙ୍ଗଲ ମଧ୍ୟରେ ମାଳମାଳ ବେଆଇନ କୋଇଲା ଖଣି ଠାବ କରାଯାଇଥିବା ବେଳେ ଏଥିରୁ ଟନ୍ ଟନ୍ କୋଇଲା ଲୁଟ କରିନେଇଛନ୍ତି ମାଫିଆ । ଏହା ଦ୍ବାରା ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କାର ରାଜସ୍ବ ହାନି ହୋଇଛି ।
ତେବେ ଦୀର୍ଘ ମାସେ ହେବ ଏନେଇ ତଦନ୍ତ ଚାଲିଥିଲେ ମଧ୍ୟ ପ୍ରଶାସନ ଏହି ବଡ଼ କୋଇଲା ଲୁଟର ପ୍ରକୃତ କାପର୍ଟଦାରଙ୍କ ପାଖରେ ପହଞ୍ଚିପାରୁନାହିଁ ପ୍ରଶାସନ। ମନ୍ତ୍ରୀ, ସଚିବ, ସ୍ପେଶାଲ ଟାକ୍ସଫୋର୍ସ ଟିମ୍, ଜିଲ୍ଲା ଖଣି ବିଭାଗର ଅଧିକାରୀ ଘଟଣା ସ୍ଥଳକୁ ଯାଇ ସ୍ଥିତି ଦେଖି ଆସିବା ପରେ ମଧ୍ୟ ମାଫିଆଙ୍କ ପାଖରେ ନପହଞ୍ଚିପାରିବା ଓ କାର୍ଯ୍ୟାନୁଷ୍ଠାନରେ ଶିଥିଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନାଁକୁ ମାତ୍ର ଗିରଫ ହୋଇଛନ୍ତି ଖଣି ଆଖପାଖ ଅଞ୍ଚଳର କିଛି ଶ୍ରମିକ । ରାଜ୍ୟ ଖଣି ବିଭାଗ ଓ ପ୍ରଶାସନ ଖଣି ଚୋରିର କାର୍ପଟଦାରମାନଙ୍କୁ ଧରିବା ପାଇଁ ଯୋଜନା କରୁଛନ୍ତି ନା ସେମାନଙ୍କୁ ସୁରକ୍ଷା ଦେଉଛି ଏନେଇ ଚର୍ଚ୍ଚା ଜୋର ଧରିଛି ।