କନକ ବ୍ୟୁରୋ: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ବର୍ଷିଲା କଂଗ୍ରେସ । ଅଭିଯୋଗ କଲା, ଜାଲ ଜାତିଗତ ପ୍ରମାଣ ଦେଇ ପାଠପଢା ସହ ଚାକିରି ଓ ବିଧାୟକ, ମନ୍ତ୍ରୀ ହୋଇଛନ୍ତି ମୁକେଶ ମହାଲିଙ୍ଗ । ତେଣୁ ମନ୍ତ୍ରୀ ପଦରୁ ମୁକେଶ ମହାଲିଙ୍ଗଙ୍କୁ ବାହାର କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି କଂଗ୍ରେସ । ୨୦୦୨ ପରେ ତାଙ୍କ ଜାତି ଅନୁସୂଚିତ ଜାତି ଭୁକ୍ତ ହେଲା । ତା' ପୂର୍ବରୁ ସେ ସାର୍ଟିଫିକେଟ୍ କେଉଁଠୁ ଆଣିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ଏହାସହ ମନ୍ତ୍ରୀଙ୍କ ଭାଷା ଓ ଉଚ୍ଚାରଣରେ ସଂଯମତା ନାହିଁ । ଖାସ କରି ବଲାଙ୍ଗୀର ଓ ଓଡ଼ିଶାର କୋଣ ଅନୁକୋଣର ଲୋକେ ଖରାପ ଭାବୁଛନ୍ତି । ବିଶେଷକରି ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହେଉଛି ଜାଲ ସାର୍ଟିଫିକେଟ୍ । ମୁକେଶ ମହାଲିଙ୍ଗ ଯେଉଁ ସବ୍କାଷ୍ଟରୁ ଆସନ୍ତି ତାହା ପୂର୍ବରୁ ସ୍କୁଲ,କଲେଜ ଓ ଚାକିରିରେ ଯେଉଁ ଜାତି ପ୍ରମାଣ ଦେଇଛନ୍ତି ତାହା କେଉଁଠୁ ଆସିଛି ? ସମନ ଆସିଥିଲା କିନ୍ତୁ ସେ ସମନ ଅବମାନନା ବି କରିଛନ୍ତି । ତାଙ୍କର ଜାତିଗତ ପ୍ରମାଣ ମିଥ୍ୟା ଥିବାରୁ ଏହାକୁ ଅପରାଧ ବୋଲି ଧରାଯିବ । ଜଣେ ମନ୍ତ୍ରୀ ଜାଲଜାତି ପ୍ରମାଣରେ ପାଠ ପଢିକି ଚାକିରି କରିଛନ୍ତି ଏବଂ ପରେ ପରେ ବିଧାୟିକ ହୋଇ ମନ୍ତ୍ରୀ ହୋଇଛନ୍ତି । ଜଣେ ଦଳିତ ସମାଜର ଅଧିକାରକୁ ବଞ୍ଚିତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ସେପଟେ, ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି, ଆଇନଶୃଙ୍ଖଳାରେ ସରକାର ବିଫଳ ହୋଇଛନ୍ତି । ରାଜଧାନୀ ସମେତ ସାରା ରାଜ୍ୟ ଆଇନ ଶୃଙ୍ଖଳା ଭୁଶୁଡ଼ିଛି । ପୋଲିସର ନିୟନ୍ତ୍ରଣ ନାହିଁ । ବିଧାନସଭା ଭିତରେ ଆଉ ବାହାରେ ପୋଲିସ ପାରିବାପଣିଆ ଦେଖାଉଛନ୍ତି । ଭୁବନେଶ୍ୱରର ଭରତପୁର ଓ କବିସୂର୍ଯ୍ୟନଗର ଘଟଣା ଏହା ପ୍ରମାଣିତ କରୁଛି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।