କନକ ବ୍ୟୁରୋ :ଭକ୍ତଙ୍କ ପାୱାର ସୋ,କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ମହିଳା ନିର୍ଯାତନାକୁ ପ୍ରସଙ୍ଗ କରିଛି କଂଗ୍ରେସ । କିଟ୍ରେ ନେପାଳୀ ଛାତ୍ରୀ ମୃତ୍ୟୁ, ଚିତ୍ରକୋଣ୍ଡାରେ ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛି ଦଳ । ବିଜେପି ସରକାର ଆସିବା ଦିନଠୁ ମହିଳା ନିର୍ଯାତନା ବୃଦ୍ଧି ପାଇଥିବା ଅଭିଯୋଗ କରି ରାଜଧାନୀରେ ବିକ୍ଷୋଭ କରି ରାଜ୍ୟ ସରକାର ବିରୋଧରେ ଦେଇଛି ରଣ ହୁଙ୍କାର । ପିସିସି ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଭକ୍ତଙ୍କ ଗର୍ଜନ । ବରିଷ୍ଠ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ପିସିସି ସଭାପତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବାବେଳେ ପୋଲିସ ସହ ଧସ୍ତାଧସ୍ତି ବି ହୋଇଛି । ବିକ୍ଷୋଭ ବେଳେ ଅନେକ ମହିଳା ନେତ୍ରୀ ଓ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।
କଂଗ୍ରେସର ପ୍ରତିବାଦ, ବିଜେପିର ଜବାବ । ବିକ୍ଷୋଭକୁ ରାଜନୈତିକ ଷ୍ଟଣ୍ଟ କହିଲା ଦଳ । ମହିଳା ଓ ଶିଶୁ ଅପରାଧରେ ଓଡ଼ିଶା ଏକ ନମ୍ବରରେ ଥିଲା । ପ୍ରତିଦିନ ୯ଜଣ ମହିଳା ଓ ଶିଶୁ ଅପରାଧର ଶିକାର ହେଉଥିଲେ । ଏବେ ଏହି ସଂଖ୍ୟା ୫କୁ କମିଛି । ଆଗକୁ ଆହୁରି କମିବ। କଂଗ୍ରେସ କମିଟିରେ ସ୍ଥାନ ପାଇବାକୁ ଏହା ଏକ ରେସ୍ ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।
ନିର୍ବାଚନ ହାରିବା ପରେ ପ୍ରଥମ ଥର ପାଇଁ ଆକ୍ଟିଭ ମୋଡରେ କଂଗ୍ରେସ । ମହିଳାଙ୍କୁ ପ୍ରସଙ୍ଗ କରି ସରକାରକୁ ଘେରିବାକୁ ଉଦ୍ୟମ କରିଛି । ବିକ୍ଷୋଭ ଜରିଆରେ କର୍ମୀଙ୍କ ମନରେ ଜୋସ୍ ଭରିବାକୁ ନୂଆ ପିସିସି ସଭାପତିଙ୍କ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।