କନକ ବ୍ୟୁରୋ :  ବିହାର ନିର୍ବାଚନକୁ ନେଇ ରାଜନୀତି ସରଗରମ । ୩୫ ବର୍ଷ ପରେ ପୁଣି କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡିଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିହାରରେ ବଢୁଛି କଂଗ୍ରେସର ଶକ୍ତି । ହେଲେ ଦର୍ଶକ ବନ୍ଧୁ ଏକ ଜାତୀୟ ଦଳ ଭାବେ କଂଗ୍ରେସ ଦେଶକୁ ଅନେକ ବର୍ଷ ଶାସନ କରିଛି । ଜବାହରଲାଲ ନେହରୁଙ୍କ ଠାରୁ ଆରମ୍ଭ କରି ମନମୋହନ ସିଂଙ୍କ ପର୍ୟ୍ୟନ୍ତ । ଦଳକୁ ବିପୁଳ ସମର୍ଥନ ଦେଇଥିଲେ ଦେଶବାସୀ । ହେଲେ ୯୦ ଦଶକ ପରେ ବିହାରବାସୀ କାହିଁକି କଂଗ୍ରେସକୁ ପ୍ରତ୍ୟାଖାନ କଲେ ତାହା ଆଜି ବି ରହସ୍ୟ । ଆସନ୍ତୁ ଦେଖିବା ୧୯୯୦ ପରେ ବିହାରରେ କିଭଳି କଂଗ୍ରେସ ଶାସନର ପତନ ହୋଇଥିଲା ।

Advertisment

ସ୍ୱାଧୀନତା ପରେ କଂଗ୍ରେସ ସାରା ଦେଶରେ କ୍ଷମତା ଦଖଲ କଲା । ସ୍ୱାଧୀନତା ସଂଗ୍ରାମରୁ ବି ବିହାରରୁ ଅନେକ ନେତା କଂଗ୍ରେସରେ ସାମିଲ ହୋଇଥିଲେ । ୧୯୫୨ ମସିହାରେ ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୩୩୦ ଆସନରୁ ୨୩୯ ଆସନ ଜିତି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିଥିଲା । ୧୯୬୦ ଓ ୭୦ ଦଶକରେ ବି ବିହାରରେ କଂଗ୍ରେସର ବଡ଼ ଦବଦବା ଥିଲା । ହେଳେ ଇମରଜେନ୍ସି ପରେ ହୋଇଥିବା ନିର୍ବାଚନରେ କଂଗ୍ରେସ ବିହାର ବିଧାନସଭା ନିର୍ବାଚନରେ ୨ ଅଙ୍କରେ ଅଟକିଯାଇଥିଲା । କଂଗ୍ରେସକୁ ମାତ୍ର ୫୭ ଆସନ ମିଳିଥିଲା । ହେଲେ ୧୯୮୫ରେ ଇନ୍ଦୀରା ଗାନ୍ଧୀଙ୍କ ହତ୍ୟା ପରେ ପୁଣି ବିହାରରେ କଂଗ୍ରେସ କମବ୍ୟାକ୍ କରିଥିଲା । ହେଲେ ୧୯୯୦ ପରେ ପୁଣି ବିହାରରେ କଂଗ୍ରେସ ଦୁର୍ବଳ ହେବାରେ ଲାଗିଥିଲା । ଲାଲୁ ଯାଦବ ରାଜନୀତିକୁ ଆସିବା ପରେ କଂଗ୍ରେସର ପତନ ଆରମ୍ଭ ହୋଇଥିଲା । ମଣ୍ଡଳ କମିସନ ସୁପାରିଶ ଲାଗୁ ପରେ ସାମାଜିକ ନ୍ୟାୟ ଓ ଯାଦବ-ମୁସଲିମ୍ ସମିକରଣ ଆଧାରରେ ଲାଲୁଙ୍କ ପ୍ରତି ନାଗରିକଙ୍କ ସମର୍ଥନ ବଢିଲା ଓ ଲାଲୁ କଂଗ୍ରେସ ଗଡ଼କୁ ଦଖଲ କରିବା ଆରମ୍ଭ କରିଦେଲେ । ସେପଟେ ରାମମନ୍ଦିର ପ୍ରସଙ୍ଗରେ ସବର୍ଣ୍ଣ ଭୋଟକୁ ବିଜେପି ନିଜ ସପକ୍ଷରେ ନେବାକୁ ସଫଳ ହୋଇଥିଲା । 

ସେପଟେ ୧୯୮୯ ପରେ ଜଗନ୍ନାଥ ମିଶ୍ରଙ୍କ ନେତୃତ୍ୱ କାମ ଦେଇନଥିଲା । ଏପଟେ କଂଗ୍ରେସକୁ ଆଗକୁ ନେବା ଭଳି ଜଣେ ବି ନେତା ବିହାରରେ ଆଗକୁ ଆସିନଥିଲେ । ଧୀରେ ଧୀରେ ଲାଲୁ ଯାଦବ, ନୀତିଶ କୁମାର, ରାମବିଳାସ ପାଶୱାନ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଓ ନରେନ୍ଦ୍ର ମୋଦୀଙ୍କ ଭଳି ନେତାଙ୍କ ସାମ୍ନାରେ କଂଗ୍ରେସ ଦୁର୍ବଳ ହୋଇଗଲା । ଜିଲ୍ଲା ଓ ପଂଚାୟତ ସ୍ତରରେ କଂଗ୍ରେସ କାର୍ୟ୍ୟକର୍ତ୍ତା ଦୁର୍ବଳ ହୋଇଗଲେ । ଏହାସହ ନିର୍ବାଚନ ବେଳେ ଟିକେଟ ପାଇଁ କଂଗ୍ରେସ ନେତାଙ୍କ ଭିତରେ ବିଦ୍ରୋହ ବିହାରରେ କଂଗ୍ରେସ ଦୁର୍ବଳତାର ଏକ ପ୍ରମୁଖ କାରଣ ପାଲଟିଗଲା । 

ସେପଟେ ୨୦୨୦ ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ସମ୍ମାନଜନକ ସ୍ଥିତିକୁ ଫେରିଛି । ୭୦ ଆସନରେ ଲଢି କଂଗ୍ରେସ ୧୯ ଆସନରେ ବିଜୟୀ ହୋଇଥିଲା । ଚଳିତ ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା କଂଗ୍ରେସ କର୍ମୀଙ୍କ ଭିତରେ ଉତ୍ସାହ ଭରିଛି । ହେଲେ ଏହା କେତେ ପରିମାଣରେ ଭୋଟରେ ପ୍ରତିଫଳିତ ହେବ ତାହା ବିହାର ବିଧାନସଭା ନିର୍ବାଚନ ପରେ ସ୍ପଷ୍ଟ ହେବ ।