Photograph: (kanaknews)
କନକବ୍ୟୁରୋ : ଇସ୍ରାଏଲ-ଆମେରିକାର ପକ୍ଷରୁ ଇରାନ ଉପରେ ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଏକ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି । ତେହେରାନ ଉପରେ ହୋଇଥିବା ବିମାନ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ହୋଇଛି । ଭାରତ, ପାକିସ୍ତାନ ଏବଂ ଇରାନ ସମେତ ଅନେକ ଦେଶରେ ଏହାର ତୀବ୍ର ବିରୋଧ କରାଯାଉଛି । ଭାରତରେ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟ ବୈଦେଶିକ ନୀତି ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ରଖିଛନ୍ତି ।
ଭାରତ ସରକାର ଖେମିନିଙ୍କ ମୃତ୍ୟୁ ଉପରେ ନୀରବତା ବଜାୟ ରଖି ସଂଯମତା ଓ କୂଟନୈତିକ ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିରୋଧୀ ଦଳ ଖୋଲାଖୋଲି ଭାବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିରୋଧ କରିଛନ୍ତି । କଂଗ୍ରେସ ରାଜ୍ୟସଭା ସାଂସଦ ଏବଂ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଟ୍ରମ୍ପଙ୍କୁ କଟାକ୍ଷ କରିଛନ୍ତି ।
ରାଜୀବ ଶୁକ୍ଲା ମଙ୍ଗଳବାର ଦିନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏତେ ଯୁଦ୍ଧ କରାଇଛନ୍ତି ଯେ, ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ । ଶୁକ୍ଲାଙ୍କ ବ୍ୟଙ୍ଗ ଇରାନ-ଇସ୍ରାଏଲ ଯୁଦ୍ଧ, ରୁଷ-ୟୁକ୍ରେନ ଓ ଭେନେଜୁଏଲା ଉପରେ ସାମ୍ପ୍ରତିକ ଆମେରିକୀୟ ସାମରିକ ଆକ୍ରମଣ ଉପରେ ହୋଇଥିବା କୁହାଯାଉଛି। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Follow Us