କନକ ବ୍ୟୁରୋ: କଂଗ୍ରେସର ‘ହାତ’ ଏବେ ସରକାର ଉପରେ ଭାରିପଡୁଛି । ଯେବେଠୁ ରାହୁଲ ଗାନ୍ଧୀ ବରମୁଣ୍ଡା ପଡ଼ିଆରୁ ସରକାର ଉପରେ ହମଲା କରିଛନ୍ତି, ଆଉ ଓଡ଼ିଶାରେ ବିଜେପି ସରକାରକୁ ସତ୍ତାରୁ ବେଦଖଲ କରିବାକୁ ଆହ୍ୱାନ ଦେଇଛନ୍ତି, ସେବେଠୁ ଯେମିତି ଓଡ଼ିଶା କଂଗ୍ରେସକୁ ମିଳିଛି ବୁଷ୍ଟରଡୋଜ୍ । ଘଟଣା ଯାହା ହେଉନା କାହିଁକି, କଂଗ୍ରେସ ପୁରା ଜୋସରେ ସରକାରକୁ ହମଲା କରିବା ସହ ମୁଖ୍ୟ ବିରୋଧୀ ଦଳ ଭଳି  ସରକାରକୁ ଅଡୁଆରେ ପକାଇବାରେ ଲାଗିଛି ।

Advertisment

ସୌମ୍ୟାଶ୍ରୀ ଘଟଣା, କଂଗ୍ରେସ ଆଗରେ

ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଦେହାନ୍ତ ପରେ ଏବେ କଂଗ୍ରେସ ଫୁଲ୍ ଜୋସରେ । ଏ ସମ୍ପର୍କରେ ଲଗାତାର ଦଳର ନେତା ପ୍ରେସମିଟ୍ କରୁଥିବାବେଳେ, ଦିଲ୍ଲୀ ବି ପୂରାପୂରି ଆକ୍ସନ ମୋଡ଼ରେ । ଏମିତି କି କଂଗ୍ରେସ ବିଧାୟିକା ସୋଫିଆ ଫିରଦୌସଙ୍କୁ ନେଇ ଦଳ ଜାତୀୟ ଗଣମାଧ୍ୟମ ପାଇଁ ପ୍ରେସମିଟ୍ ମଧ୍ୟ କରିସାରିଛି । ଏପଟେ ରାହୁଲ ମଧ୍ୟ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ ସିଧା କଥା ହୋଇଛନ୍ତି । ଯାହାକି ଅନ୍ୟ ବିରୋଧୀ ଦଳଙ୍କ ପାଖରେ ଦେଖିବାକୁ ମିଳିନି । ଖାଲି ସେତିକି ନୁହେଁ, ଭକ୍ତ ଦାସଙ୍କ ନେତୃତ୍ୱରେ ଦଳ ମଙ୍ଗଳବାର ପ୍ରେସମିଟ୍ କରିବା ସହିତ ଓଡ଼ିଶା ବନ୍ଦ ପାଇଁ ମଧ୍ୟ ଡାକରା ଦେଇଛି । ଆସନ୍ତାକାଲି ଅର୍ଥାତ ଗୁରୁବାର ସାରା ରାଜ୍ୟକୁ ବନ୍ଦ କରିବ କଂଗ୍ରେସ । ତେବେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେଡି ଆଜି କେବଳ ବାଲେଶ୍ୱର ବନ୍ଦ ଡାକରା ଦେଇ କାମ ସାରିଦେଇଥିବାବେଳେ, କଂଗ୍ରେସ ପୂରା ଓଡ଼ିଶା ବନ୍ଦ ଡାକରା ଦେବା, ରାଜନୀତିକୁ ସରଗରମ କରିଛି ।

ପ୍ରିୟଙ୍କା ଆସିପାରନ୍ତି….

ଚର୍ଚ୍ଚା ହେଉଛି ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିପାରନ୍ତି । ତାଙ୍କ ଓଡ଼ିଶା ଗସ୍ତ ନେଇ ଏବେ ରାଜନୈତିକ କରିଡରରେ ଆଲୋଚନା ଚାଲିଥିବାବେଳେ, ସେ ସୌମ୍ୟାଶ୍ରୀଙ୍କ ବାପା, ମାଆଙ୍କ ସହ ସାକ୍ଷାତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏ ସମ୍ପର୍କରେ ବିଧିବଦ୍ଧ ଭାବେ କିଛି ବି ଘୋଷଣା ହୋଇନଥିଲେ ମଧ୍ୟ, ଖୁବଶୀଘ୍ର ପ୍ରିୟଙ୍କା ଓଡ଼ିଶା ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବିଜେଡିକୁ ପଛରେ ପକାଉଛି କଂଗ୍ରେସ

ବିଧାନସଭାରେ ସଂଖ୍ୟାଦୃଷ୍ଟିରୁ କଂଗ୍ରେସ ପଛରେ ଏବଂ ବିଜେଡି ଆଗରେ । ହେଲେ ସରକାରକୁ ଅଡୁଆରେ ପକାଇବାରେ କିନ୍ତୁ କଂଗ୍ରେସ ଟିକେ ବି ପଛରେ ପଡ଼ିନି । ବିଜେଡିର ବିଧାୟକ ସଂଖ୍ୟା ୫୧ ହେଇଥିବାବେଳେ, କଂଗ୍ରେସର ବିଧାୟକ ୧୪ । ହେଲେ ବିଧାନସଭା ହେଉ କି, ରାଜରାସ୍ତାରେ....ଅନେକ ସମୟରେ ମୁଖ୍ୟ ବିରୋଧୀ ଦଳ ଭଳି କଂଗ୍ରେସ ମୋହନ ସରକାରକୁ ଅଡୁଆରେ ପକାଇ ଆସିଛି ।

ଓଡ଼ିଶାରେ ବିଜେପି ସରକାର, ରାହୁଲଙ୍କ ଫୋକସ୍

ଓଡ଼ିଶାରେ ଯେବେ ନବୀନଙ୍କ ବିଜେଡି ସରକାର ଥିଲା, ସେତେବେଳେ କଂଗ୍ରେସ ଓଡ଼ିଶା ରାଜନୀତିକୁ ସେତେଟା ଫୋକସ୍ କରୁନଥିଲା ବୋଲି କୁହାଯାଏ । ହେଲେ ଯେବେଠୁ ଓଡ଼ିଶାରେ ବିଜେପି ସତ୍ତାକୁ ଆସିଛି, ସେବେଠୁ ରାହୁଲ ଗାନ୍ଧୀଙ୍କ ଫୋକସରେ ରହିଛି ଓଡ଼ିଶା । ଏମିତି କି ସାରା ରାଜ୍ୟ ଯେତେବେଳେ ଡ୍ରାଇଭର ଆନ୍ଦୋଳନକୁ ନେଇ ଅକଳରେ ପଡ଼ିଥିଲା, ସେଭଳି ସମୟରେ ମଧ୍ୟ ରାହୁଲ ଓଡ଼ିଶା ଗସ୍ତ କରିଥିଲେ ଆଉ ବରମୁଣ୍ଡା ପଡ଼ିଆରୁ ସରକାର ଉପରେ ବର୍ଷିଥିଲେ । ଆଉ ତା ପରେ ପରେ ସୌମ୍ୟାଶ୍ରୀ ବିଶି ମାମଲାରେ ଲଗାତାର କଂଗ୍ରେସ, ବିଜେପି ସରକାର ଉପରେ ଶବ୍ଦର ତୀର ମାରିବାରେ ଲାଗିଛି ।

ଯେବେଠୁ ଭକ୍ତ ଦାସ କଂଗ୍ରେସର କମାଣ ଧରିଛନ୍ତି, ସେବେଠୁ ଗୋଟିଏ ଭିନ୍ନ ଅନ୍ଦାଜରେ ନଜର ଆସିଛି କଂଗ୍ରେସ । ଦଳର ନେତାମାନେ ସବୁ କନ୍ଦଳକୁ ଭୁଲି ଏକାଠି ହେଲା ଭଳି ନଜର ଆସୁଛନ୍ତି । ଆଉ ଦିଲ୍ଲୀ ନେତୃତ୍ୱ ମଧ୍ୟ ଓଡ଼ିଶା ଉପରେ ନଜର ପକାଇ ବସିଲା ଭଳି ମନେ ହେଉଛି । ଯାହାକି ବିଜେପି ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।