କନକ ବ୍ୟୁରୋ: ନୂଆ କମିଟି ଗଠନ ସହ କଂଗ୍ରେସରେ ବାହାରିଛି ପୁରୁଣା ରୋଗ । ଭକ୍ତଙ୍କ ନୂଆ ଟିମକୁ ନେଇ ଦଳ ଭିତରେ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ ହୋଇଛି । ଆନୁଗତ୍ୟ ରଖିଥିବା ନେତା କମିଟିରୁ ବାଦ ପଡ଼ିବାକୁ ସହଜରେ ଗ୍ରହଣ କରିପାରୁନଥିବା ବେଳେ ଅସନ୍ତୋଷ ଚାପିବାକୁ ଦିଆଯାଇଛି କମିଟି ସମ୍ପ୍ରସାରଣ ଥୋପ ।
- କମିଟି ପାଇଁ କଂଗ୍ରେସରେ କେଁ
- ମେଳି ବାନ୍ଧିଲେଣି ଅସନ୍ତୁଷ୍ଟ ଗୋଷ୍ଠୀ
କଂଗ୍ରେସ ସଭାପତି ଭାବେ ଦାୟିତ୍ବ ନେବା ପରେ ଦଳର ହାତମୁଠାକୁ ଟାଣ କରିବାକୁ ଭକ୍ତ ଦାସ ନୂଆ ପିସିସି କମିଟି ଗଠନ କରିଥିଲେ । ଏହି ନୂଆ କମିଟି ଏବେ ଭକ୍ତଙ୍କ ମୁଣ୍ଡବିନ୍ଧା ବଢ଼ାଇ ଦେଇଛି । ଭକ୍ତଙ୍କ ପ୍ରତି ଆନୁଗତ୍ୟ ରଖିଥିବା କିଛି ନେତାଙ୍କୁ କମିଟିରେ ସ୍ଥାନ ନ ମିଳିବାରୁ ଏବେ କଂଗ୍ରେସ ରାଜନୀତି ନୂଆ ମୋଡ଼ ନେଇଛି । ଦଳ ଭିତରେ ଅତି ଆପଣାର ଲୋକ ଏବେ ଭକ୍ତଙ୍କୁ ଦୂରଛଡ଼ା ହେବା ଆରମ୍ଭ କଲେଣି । କେବଳ ଏତିକି ନୁହେଁ ମେଳି ବାନ୍ଧି ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଅଭିଯୋଗ କରିବାକୁ ପାଗ ଭିଡ଼ିଥିବା କୁହାଯାଉଛି । ଏହି ଅସନ୍ତୁଷ୍ଟ ନେତାଙ୍କୁ ଭକ୍ତ ବିରୋଧୀ ମେଳି ବଳ ଦେଉଥିବା ଚର୍ଚ୍ଚା ହେଉଛି । କମିଟିରୁ ବାଦ୍ ପଡିଥିବା ବରିଷ୍ଠ ନେତା ସିଧାସଳଖ କହିଛନ୍ତି, ନୂଆ କମିଟି ଠିକ୍ ଭାବେ ଗଠନ ହୋଇନି । ଆଗକୁ କମିଟି ପାଇଁ କନ୍ଦଳ ବଢ଼ିବ ।
ମେ ୨୨ରେ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ କଂଗ୍ରେସ । କିନ୍ତୁ ପାୱାର ସୋ’ରେ ଭକ୍ତଙ୍କୁ ଅସହଯୋଗ କରି ଦଳୀୟ କନ୍ଦଳକୁ ପଦାରେ ପକାଇବାକୁ କିଛି ନେତା ଉଦ୍ୟମ ଆରମ୍ଭ କରିଛନ୍ତି । ତେଣୁ କମିଟିରୁ ବାଦ୍ ପଡ଼ିଥିବା ପୁରୁଣା ସହଯୋଗୀଙ୍କ ମାନଭଞ୍ଜନ ପାଇଁ ଭକ୍ତ ଭିତିରିଆ ଚେଷ୍ଟା ଚଳାଇଛନ୍ତି । କମିଟି ସମ୍ପ୍ରସାରଣ ବେଳେ ସ୍ଥାନ ମିଳିବ ବୋଲି କହି ଅସନ୍ତୁଷ୍ଟଙ୍କୁ ଲଲିପପ୍ ଧରାଇଥିବା ଚର୍ଚ୍ଚା ହେଉଛି । ଭକ୍ତଙ୍କ ଏହି ଷ୍ଟ୍ରାଟେଜିରେ ସ୍ବର ମିଳାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।
ସୂଚନାଯୋଗ୍ୟ ଯେ, ନୂଆ କମିଟି ଗଠନ ପୂର୍ବରୁ ପୂର୍ବ ସଭାପତିଙ୍କ ପରାମର୍ଶ ନେଇଥିଲେ ଭକ୍ତ ଦାସ । କିନ୍ତୁ ପରାମର୍ଶ ଆଧାରରେ କମିଟି ଗଠନ ହୋଇନଥିବା କୁହାଯାଉଛି । ତେଣୁ ଆଗକୁ କଂଗ୍ରେସର ସମସ୍ତ ନେତାଙ୍କୁ ଏକାଠି ନେଇ ଚାଲିବା ଭକ୍ତଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ।