କନକ ବ୍ୟୁରୋ : ଜାତୀୟ ଶିକ୍ଷାନୀତି ୨୦୨୦କୁ ନେଇ ମୁହାଁମୁହିଁ ଦୁଇ ବରିଷ୍ଠ ନେତା । ଏକ ସମ୍ପାଦକୀୟ ଜରିଆରେ ଏନଇପିକୁ ସମାଲୋଚନା କରିଛନ୍ତି ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଇଂରାଜୀ ଖବର କାଗଜ ଦ ହିନ୍ଦୁର ଏକ ଖବରକାଗଜରେ ସୋନିଆ ଲେଖିଛନ୍ତି, ଜାତୀୟ ଶିକ୍ଷା ନୀତି ୨୦୨୦ ଜରିଆରେ କେନ୍ଦ୍ର ସରକାର ଥ୍ରୀସି ଏଜେଣ୍ଡାକୁ ପ୍ରୋତ୍ସାହନ ଦେଉଛନ୍ତି । ଏହି ଥ୍ରୀ ସି ହେଉଛି ସେଣ୍ଟ୍ରାଲାଇଜେସନ୍, କମର୍ସିଆଲାଇଜେସନ୍ ଓ କମ୍ୟୁନାଲିଜମ୍। ସୋନିଆଙ୍କ କହିବାର ଅର୍ଥ ଏନଇପି ଜରିଆରେ କେନ୍ଦ୍ରିକରଣ, ବ୍ୟବସାୟୀକରଣ ଏବଂ ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହିତ କରୁଛନ୍ତି କେନ୍ଦ୍ର ସରକାର । ସୋନିଆ ନିଜ ଲେଖା ଜରିଆରେ ମୋଦୀ ସରକାରଙ୍କୁ ସମାଲୋଚିତ କରିଛନ୍ତି । ମୋଦୀ ସରକାର ଦେଶରେ ଶିକ୍ଷା ଢାଞ୍ଚାକୁ ଦୁର୍ବଳ କରୁଥିବା ଅଭିଯୋଗ କରିଛନ୍ତି ସୋନିଆ। ସରକାରୀ ସ୍କୁଲ ବଦଳରେ ବେସରକାରୀ ସ୍କୁଲକୁ ପ୍ରାଧାନ୍ୟ ଦିଆଯାଉଥିବା ନିଜ ଆର୍ଟିକିଲରେ ଅଭିଯୋଗ କରିଛନ୍ତି ସୋନିଆ। ସୋନିଆଙ୍କ ଆର୍ଟିକିଲର ଜବାବ ରଖିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ନିଜର ଏକ ଆର୍ଟିକଲ ଜରିଆରେ ଏନଇପିକୁ ପ୍ରଶଂସା କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଏନଇପି ଆଣିବ ଦେଶରେ ନବଜାଗରଣ। ଶିକ୍ଷା କ୍ଷେତ୍ରରେ ଆସିବ ବୈପ୍ଳବିକ ପରିବର୍ତ୍ତନ। ଆଗାମୀ ଦଶନ୍ଦିରେ ଶିକ୍ଷାରେ ନବଜାଗରଣ ସୃଷ୍ଟି ହେବ । ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଏନଇପି ସର୍ବୋତ୍କୃଷ୍ଟ ପ୍ରକ୍ରିୟା ବୋଲି ଧର୍ମେନ୍ଦ୍ର କହିଛନ୍ତି।