କନକ ବ୍ୟୁରୋ: ବାଲେଶ୍ୱରର ଫକୀର ମୋହନ (ଏଫଏମ୍) ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କ ଆତ୍ମାହୁତି ଘଟଣାକୁ ନେଇ ଓଡ଼ିଶା ରାଜନୀତି ସରଗରମ ହେବା ସହ ଏହାର ପ୍ରତିଧ୍ୱନି ଭାରତୀୟ ସଂସଦରେ ମଧ୍ୟ ଶୁଣିବାକୁ ମିଳିଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ଆଲୋଚନା ପାଇଁ ଦାବି ହୋଇଛି ।
କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ସୋମବାର ଦିନ ସଂସଦରେ ଏହି ପ୍ରସଙ୍ଗ ଉଠାଇ ତୁରନ୍ତ ଆଲୋଚନା ପାଇଁ ଦାବି କରିଛନ୍ତି। ଛାତ୍ରୀଙ୍କ ଆତ୍ମାହୁତି ଘଟଣା ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି କରିଥିବାବେଳେ ଏହାକୁ ସଂସଦରେ ଉଠାଯାଇଛି ।
ଅନ୍ୟପଟେ, ବିଜୁ ଜନତା ଦଳ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି । ରାଜ୍ୟରେ ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ, ବିଶେଷକରି ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାକୁ ବିଜେଡି ସଂସଦର ମୌସୁମୀ ଅଧିବେଶନରେ ଜୋରଦାର ଭାବେ ଉପସ୍ଥାପନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ଏବଂ ମହିଳା ଓ ନାବାଳିକାଙ୍କ ବିରୋଧରେ ହିଂସା ବୃଦ୍ଧି ପାଇଛି ।
ସେହିପରି କଂଗ୍ରେସ ଦଳ ମଧ୍ୟ ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ଛାତ୍ରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ଆଗାମୀ ମୌସୁମୀ ଅଧିବେଶନ ସମୟରେ ସଂସଦ ଘେରାଉ କରିବାକୁ ଘୋଷଣା କରିଛି । ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଏହି ଘୋଷଣା କରିବା ସହ ଓଡ଼ିଶାର ବିଜେପି ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ।
ଏହି ଘଟଣାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଛାତ୍ରୀଙ୍କ ପରିବାରକୁ ନ୍ୟାୟ ଦାବିରେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ।