କନକ ବ୍ୟୁରୋ:  ମଦ ବିରୋଧରେ ରାଜ୍ୟରେ ଜୋର୍ ଧରୁଛି ଆନ୍ଦୋଳନ । ରାଜ୍ୟ ସରକାର ଶୀଘ୍ର ଚୋରା ମଦ ବିରୋଧରେ ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି । ସେପଟେ ମଦକୁ ବିରୋଧ କରି ମାମଲାର ସମ୍ମୁଖୀନ ହୋଇଥିଲେ ବି ଏଥିରୁ ଓହରିବେ ନାହିଁ ବୋଲି ଦୁଇ ବିରୋଧୀ ବିଧାୟକ କହିଛନ୍ତି । ବିଜେଡି ଓ ବିଜେପିକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ବେଳେ ବିଜେପି କଟାକ୍ଷ କରିଛି ।  

Advertisment

କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ୨୦୧୬ରେ ଏକ ଦେଶୀ ମଦଭାଟି ପୋଡ଼ିବା ମାମଲାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ୨୪ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ତାରା ଗତକାଲି ବ୍ରହ୍ମପୁର କୋର୍ଟରେ ହାଜର ହୋଇଥିଲେ। ଜୁଲାଇ ୧ରୁ ମାମଲାର ଶୁଣାଣି ଆରମ୍ଭ ହେବ । ତାରା କହିଛନ୍ତି, ଯେତେ ମାମଲା ହେଲେ ବି ଖାତିର ନାହିଁ । ମଦ ବିରୋଧୀ ଆନ୍ଦୋଳନ ଜାରି ରହିଛି  ଓ ରହିବ । କାର୍ଯ୍ୟାନୁଷ୍ଠାନକୁ ବି ଡର ନାହିଁ ବୋଲି କହିଛନ୍ତି ତାରା ବାହିନୀପତି। 

ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା କିଛିଦିନ ତଳେ କିଛି ମଦ ଦୋକାନ ବନ୍ଦ କରିଥିଲେ। ତାଙ୍କ ବିରୋଧରେ କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ମଦ ବିରୋଧରେ ପବିତ୍ର ସାଉଁତାଙ୍କ ନେତୃତ୍ବରେ ଆନ୍ଦୋଳନ ବି ହୋଇଥିଲା । ତାଙ୍କ କହିବା ହେଲା, ମାମଲାକୁ ଖାତିର ନାହିଁ । ମଦ ସମ୍ପୂର୍ଣ୍ଣ ବନ୍ଦ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ। ୨୫ ବର୍ଷର ବିଜେଡି ସରକାରକୁ ଲୋକ ଜବାବ ଦେଇଛନ୍ତି । ବିଜେପି ସରକାରକୁ ମଧ୍ୟ ଲୋକ ଜବାବ ଦେବେ । ବିଜେପି ତାଙ୍କୁ କଟାକ୍ଷ କରିଛି ।  ମଦକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବା ଆରମ୍ଭ କରିଛି କଂଗ୍ରେସ । ତେଣୁ ଏହି ପ୍ରସଙ୍ଗରେ ଆଗକୁ ରାଜନୀତି ଜୋର ଧରିବା ଅନୁମାନ କରାଯାଉଛି ।