କନକ ବ୍ୟୁରୋ: ବିଧାନସଭାରେ ଅଲ୍ଆଉଟ୍ ହୋଇଛି କଂଗ୍ରେସ । କଂଗ୍ରେସର ୧୪ରୁ ୧୪ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ଗତକାଲି ୧୨ ବିଧାୟକଙ୍କ ପରେ, ଆଜି ଆଉ ବାକି ୨ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଆଜି ବିଧାନସଭାରେ ତାରା ବାହିନୀପତି ଏବଂ ରମେଶ ଜେନାଙ୍କ ନାଁ ନେଇ ବାଚସ୍ପତି କହିଥିଲେ ଯେ, ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ବାଚସ୍ପତିଙ୍କ ଆସନକୁ ଏହି ଦୁଇ ବିଧାୟକ ଅବମାନନା କରୁଛନ୍ତି । ତେଣୁ ଏହି ଦୁଇ ବିଧାୟକଙ୍କୁ ନିଲମ୍ବନ କରିଥିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି ।
ଗତକାଲି କଂଗ୍ରେସର ୧୨ଜଣ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିଥିଲେ । କେବଳ ତାରା ବାହିନୀପତି ଏବଂ ରମେଶ ଜେନାଙ୍କୁ ଛାଡି ଅନ୍ୟ ସମସ୍ତ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିଲେ । ଯାହାପରେ ବିଧାନସଭା ଭିତରେ ଏବଂ ବାହାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । କଂଗ୍ରେସର ସମସ୍ତ ବିଧାୟକଙ୍କ ସହିତ ତମାମ ନେତୃବୃନ୍ଦ ରାତିସାରା ଲୋୟର ପିଏମଜିରେ ଆନ୍ଦୋଳନ କରିବା ସହିତ, ରାସ୍ତା ଉପରେ ଶୋଇଥିଲେ । ଏହାପରେ ବିଧାନସଭା ବାହାରିଥିଲେ କଂଗ୍ରେସ ବିଧାୟକ । ଘଣ୍ଟ ବଜେଇ କଂଗ୍ରେସ ବିଧାୟକ, କର୍ମୀ ବିଧାନସଭା ଯିବା ବାଟରେ ତାଙ୍କୁ ଅଟକାଇଥିଲେ ପୋଲିସ୍ । ଏହାପରେ କଂଗ୍ରେସ୍ କର୍ମୀ ଏବଂ ପୋଲିସ୍ ଭିତରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା ।
ବିଧାନସଭା ବାହାରେ କଂଗ୍ରେସ କର୍ମୀ ପୋଲିସ୍ ସହ ଯୁକ୍ତିତର୍କ କରୁଥିବାବେଳେ, ତାଙ୍କୁ ମିଳିଥିଲା ବିଜେଡି ବିଧାୟକଙ୍କ ସାଥ୍ । ବିଜେଡି ବିଧାୟକମାନେ ବାହାରକୁ ଆସି ବିଧାନସଭା ଗେଟ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଆଉ ଏହାପରେ କଂଗ୍ରେସ କର୍ମୀଙ୍କୁ ଟେକି ନେଇଥିଲା ପୋଲିସ୍ । ହେଲେ ଏ ସବୁ ଭିତରେ କିନ୍ତୁ କଂଗ୍ରେସର ବାକି ଦୁଇ ବିଧାୟକଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି । ଯାହା ପରେ ବିଧାନସଭାରେ ଅଲଆଉଟ୍ ହୋଇଛି କଂଗ୍ରେସ ।