କନକ ବ୍ୟୁରୋ: ପବିତ୍ର ଗାନ୍ଧୀ ଜୟନ୍ତୀରୁ କଂଗ୍ରେସର ନୂଆ ସଂକଳ୍ପ । ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରା ଜରିଆରେ ବିଜେପି ସରକାର ବିରୋଧରେ ଲଢ଼ିବାକୁ ଅଣ୍ଟା ଭିଡ଼ିଛି ଦଳ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ଓଡ଼ିଶାର ଶେଷ ସୀମା ମୋଟୁ ମୁଗି ପଏଣ୍ଟରୁ ଡବଲ ଇଞ୍ଜିନ ସରକାର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛି ଦଳ । ବର୍ଷ ତମାମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୬ ହଜାର କିଲୋମିଟର ଯାଏଁ ପଦଯାତ୍ରା କରିବେ କଂଗ୍ରେସ କର୍ମୀ ଓ ନେତା । ଓଡ଼ିଶାରେ ନାରୀ ନ୍ୟାୟ, ବେରୋଜଗାର,ଚାଷୀ ସମସ୍ୟା ଓ ନାଗରିକଙ୍କ ଅଧିକାର ପାଇଁ ବିଜେପି ସରକାର ବିରୋଧରେ ଲଢେଇକୁ ଜୋରଦାର କରିବ ଦଳ। ଦିନକୁ ୨୦ କି.ମି ପଦଯାତ୍ରା କରି ଉପାନ୍ତରୁ ଉପକୂଳ ଯାଏଁ ବିଜେପି ସରକାରର କୁଶାସନ ଲୋକଙ୍କ ସାମ୍ନାରେ ରଖିବ କଂଗ୍ରେସ । 
 

Advertisment

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ବିଜେପି ଆରମ୍ଭ କରିଥିବା ସେବାପକ୍ଷର ଆଜି ଶେଷଦିନ। ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ସରକାରଙ୍କ ସଫଳତାକୁ ପହଞ୍ଚାଇଛି ଦଳ। ଏହାସହ କଂଗ୍ରେସର ପଦଯାତ୍ରାକୁ ନେଇ କଟାକ୍ଷ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି, କଂଗ୍ରେସ ପଦଯାତ୍ରାରେ ପ୍ରଭାବ ଆଦୌ ପଡିବନି। ଓଡ଼ିଶାବାସୀଙ୍କ ସହ ଅଛି ବିଜେପି ।  ଆସନ୍ତା ୯ ତାରିଖରେ ଗ୍ରାଉଣ୍ଡକୁ ଓହ୍ଲାଇବ ବିଜେଡି । ଜନସମ୍ପର୍କ ପଦଯାତ୍ରା କରି ବିଜେଡ଼ି ସରକାର ସମୟର ସଫଳତା ଓ ବିଜେପି ସରକାରର ବିଫଳତା ଲୋକଙ୍କ ସାମ୍ନାରେ ରଖିବ ଦଳ ।