କନକ ବ୍ୟୁରୋ : ଆଗକୁ ସଂସଦରେ ବସିବ ମୌସୁମୀ ଅଧିବେଶନ । ଏହା ପୂର୍ବରୁ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ଆଜି କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ ।
ସୂତ୍ର ସୂଚନା ମୁତାବକ ଏହି ବୈଠକରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟସଭାର ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଉଭୟ ସଦନର ଉପନେତା, ଦଳର ମୁଖ୍ୟ ସଚେତକ ଓ ସଚେତକ ବି ସାମିଲ ହେବେ । ଏହି ବୈଠକ ସୋନିଆ ଗାନ୍ଧୀଙ୍କ ବାସଭବନ ୧୦ ଜନପଥରେ ହେବ ।
ଜୁଲାଇ ୨୧ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ବୈଠକରେ କଂଗ୍ରେସ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନରଙ୍କ ଦ୍ୱାରା ମତାଦାତା ସୂଚୀ ନେଇ ଯେଉଁ ସର୍ଭେ ଆରମ୍ଭ କରିଛନ୍ତି ସେହି ପ୍ରସଙ୍ଗକୁ ଉଠାଇପାରେ ବୋଲି ଅନୁମାନ କରାଯାଉଛି । ଏହାସହ ଅପରେସନ ସିନ୍ଦୂର, ବୈଦେଶିକ ନୀତି, ଆଇନଶୃଙ୍ଖଳା ନେଇ ସରକାରଙ୍କୁ କିଭଳି ଘେରା ଯାଇପାରିବ ତା ଉପରେ ଆଜିର ବୈଠକରେ ବିଶେଷ ଆଲୋଚନା ହୋଇ ରଣନୀତି ପ୍ରସ୍ତୁତ କରାଯାଇପାରେ ।