କନକ ବ୍ୟୁରୋ : ଭୋଟ ଚୋରି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ପୁଣି ଏକ ବଡ଼ ଦାବି କରିଛନ୍ତି । ରାୟବରେଲି ଲୋକସଭା ଅନ୍ତର୍ଗତ ହରଚନ୍ଦପୁର ବିଧାନସଭା କ୍ଷେତ୍ରରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି କି, ପ୍ରଥମେ ଲାଗୁଥିଲା ବିଜେପିର ବିଜୟ ପଛରେ କିଛି କଳା ରହସ୍ୟ ରହିଛି । ମହାଦେବପୁରା ପରେ ଏବେ ହରିଆଣା ଓ ମହାରାଷ୍ଟ୍ରରେ ହୋଇଥିବା ଭୋଟ ଚୋରିର ପକ୍କା ପ୍ରମାଣ ମିଳିଥିବା କଥା ସେ କହିଛନ୍ତି । 

Advertisment

ଏହି ଅବସରରେ ରାହୁଲ କହିଛନ୍ତି କି, ବିଜେପି ଭୋଟ ଚୋରି କରି ଦେଶର ନାଗରିକଙ୍କ ଅଧିକାର ଛଡ଼ାଇ ନେଇଛି । ହେଲେ କଂଗ୍ରେସ କାର୍ଯ୍ୟକର୍ତ୍ତା ସହଜରେ ଲୋକତନ୍ତ୍ରର ହତ୍ୟା ହେବାକୁ ଦେବେନି, ସମ୍ବିଧାନକୁ ବଞ୍ଚାଇ ରଖିବାକୁ ପ୍ରତିଟି କଂଗ୍ରେସ କର୍ମୀ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼ିବେ । 

ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଦୁଇଦିନିଆ ରାୟବରେଲି ଗସ୍ତରେ ଅଛନ୍ତି । ସେ ଆଜି ରାୟବରେଲି ପହଂଚିବା ପରେ ସ୍ଥାନେ ସ୍ଥାନେ କଂଗ୍ରେସ କର୍ମୀ ଓ ନେତାମାନେ ତାଙ୍କୁ ବିପୁଳ ସ୍ୱାଗତ କରିଥିଲେ । ସେପଟେ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ଦିନେଶ ପତାପ ସିଂ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ରାହୁଲ ଗାନ୍ଧୀଙ୍କ ଗସ୍ତକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । 

ସେପଟେ ଆଜି ଭୋଟ ଚୋରି ଅଭିଯୋଗ ଓ ଏହାକୁ ନେଇ ମୁଖ୍ୟ ନିର୍ବାଚନ ଆୟୋଗ ଯେଉଁ ଟିପ୍ପଣୀ ଦେଇଥିଲେ ତା ଉପରେ ଆଜି କଂଗ୍ରେସ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଟ୍ରୋଲ କରାଯାଉଛି । ମୁଖ୍ୟ ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି ମତଦାନ କେନ୍ଦ୍ରର ସିସିଟିଭି ଫୁଟେଜ ଦିଆଯାଇପାରିବ ନାହିଁ । କାରଣ ଆମର ଝିଅ ବୋହୂମାନେ ମତଦାନ କେନ୍ଦ୍ରରେ ଭୋଟ ଦେଇଥିଲେ । ହେଲେ ଗତକାଲି ଉପରାଷ୍ଟ୍ରପତି ପଦ ପାଇଁ ହୋଇଥିବା ନିର୍ବାଚନ ବେଳେ ମତଦାନ ବୁଥରେ ଅନେକ ମହିଳା ସାଂସଦ ଭୋଟ ଦେଇଥିଲେ ଓ ତାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ପୂର୍ବ ଟିପ୍ପଣୀକୁ କଟାକ୍ଷ କରିଛନ୍ତି ।