କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ହାତରେ ଆଉ ମାତ୍ର ୨ ବର୍ଷ । କିନ୍ତୁ ପୁରୁଣା ଭୁଲର ପୁନରାବୃତ୍ତି କରିବାକୁ ଚାହୁଁନି ଦେଶର ପୁରୁଣା ଦଳ କଂଗ୍ରେସ । ପଞ୍ଚାୟତ ଦଖଲ ପାଇଁ ନୂଆ ପିସିସି ସଭାପତି ଅଭିଯାନ ଆରମ୍ଭ କରିଛନ୍ତି । କିନ୍ତୁ କଂଗ୍ରେସ ଆଗରେ ଚ୍ୟାଲେଞ୍ଜ ଅନେକ ।

Advertisment

୨୦୨୨ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରେ ଶୋଚନୀୟ ପରାଜୟର ସ୍ୱାଦ ଚାଖିଥିଲା କଂଗ୍ରେସ । ମାତ୍ର ୩୭ଟି ଜିଲ୍ଲା ପରିଷଦ ଆସନ ହାତେଇବାରେ ସକ୍ଷମ ହୋଇଥିଲା ଦେଶର ପୁରୁଣା ଦଳ । ଭୋଟ ପ୍ରତିଶତ ବି ୧୪ ପ୍ରତିଶତରୁ କମ ରହିଥିଲା । କିନ୍ତୁ ୨୦୨୨ର ଫଳାଫଳ ଯେପରି ୨୦୨୭ରେ ପୁନରାବୃତ୍ତି ନ ହୁଏ ସେଥିପାଇଁ ୨୦୨୫ରୁ ନୀଳନକ୍ସା ଆଙ୍କିଛନ୍ତି ଦଳର ମଙ୍ଗୁଆଳ ଭକ୍ତ ଦାସ । ଏଥିପାଇଁ ଗାଁ ଓ ପଞ୍ଚାୟତର ମୌଳିକ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଆହ୍ୱାନ ଦେଇଛନ୍ତି ଭକ୍ତ । ଏହାଛଡା ପଞ୍ଚାୟତରେ ସଙ୍ଗଠନକୁ ସୁଦୃଢ କରିବାକୁ ୨୦ ଜଣ ଲେଖାଏଁ ସକ୍ରିୟ କର୍ମୀ ସୃଷ୍ଟି କରିବ ଦଳ । ପଞ୍ଚାୟତସ୍ତରରେ କମିଟି ଗଠନ ସହ ୩ଟି ଜିଲ୍ଲାକୁ ନେଇ ଜୋନ୍ ଗଠନ ହେବ ।

ଓଡ଼ିଶାରେ କଂଗ୍ରେସ ସଙ୍ଗଠନର ସ୍ଥିତି କଣ ତାହା ଦଳୀୟ ନେତାଙ୍କ ଅପେକ୍ଷା ସାଧାରଣ ଲୋକଙ୍କୁ ଅଧିକ ଜଣା । ତୃଣମୂଳସ୍ତରରେ କଂଗ୍ରେସ କର୍ମୀଙ୍କର ମରୁଡି ଭିତରେ ନୂଆ ନେତା ସୃଷ୍ଟି କରିବାରେ ଦଳ ବିଫଳ । ଏଭଳି ଚ୍ୟାଲେଞ୍ଜ ଭିତରେ ପଞ୍ଚାୟତ ଦଖଲ ପାଇଁ ଅଭିଯାନ ଆରମ୍ଭ କରିଛି ଦଳ । ଏଥିପାଇଁ ଗାଁର ଚା ଖଟି, ଭାଗବତ ଟୁଙ୍ଗିକୁ ବାଛିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖିଆ । ପଞ୍ଚାୟତସ୍ତରର କର୍ମୀଙ୍କୁ ଡାକି ଟ୍ରେନିଂ ଦିଆଯାଉଛି ।

ନୂଆ ପିସିସି ଦାୟିତ୍ୱ ନେବା ପରେ ଭକ୍ତଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ସବୁଠୁ ବଡ ପରୀକ୍ଷା । ଏହି ନିର୍ବାଚନ ହିଁ ସ୍ପଷ୍ଟ କରିବ, ହାଇକମାଣ୍ଡ ଦେଇଥିବା ନେତୃତ୍ୱଙ୍କର ଓଡ଼ିଶାରେ ଗ୍ରହଣୀୟତା କେତେ ? ପଞ୍ଚାୟତରେ ଫେଲ୍ ହେଲେ କଂଗ୍ରେସ ପାଇଁ ସାଧାରଣ ନିର୍ବାଚନ ସହଜ ହେବନି ।