କନକ ବ୍ୟୁରୋ: ଦାମିନି ସିନେମାରେ ନ୍ୟାୟ ପାଇଁ କୋର୍ଟରେ ସନି ଦେଓଲଙ୍କୁ କୋର୍ଟ ତାରିଖ ପେ ତାରିଖ ଦେଲା ଭଳି ରାଜ୍ୟ କଂଗ୍ରେସ ନେତାଙ୍କୁ ଏଆଇସିସି ବି ତାରିଖ ପରେ ତାରିଖ ଦେଇଚାଲିଛି । ସଂଗଠନ ଭାଙ୍ଗିବାର ଛଅ ମାସ ବିତିଥିଲେ ବି ରାଜ୍ୟ ପାଇଁ ଦଳର ସଭାପତି ବାଛିପାରୁନି କଂଗ୍ରେସ। ଆଉ ଏପଟେ ରାଜ୍ୟ ନେତାଙ୍କୁ ପ୍ରଶ୍ନ ପଚାରି ପଚାରି ଶେଷରେ କର୍ମୀ ବି ନିରାଶ। ଓଡ଼ିଶାରେ ଥିବା କିଛି ବରିଷ୍ଠ ନେତା ଆଜି, କାଲି, ପହରଦିନ ପିସିସି ସଭାପତି ନାଁ ଘୋଷଣା ହେଇଯିବ କହି କହି, ସେମାନେ ବି ଥକି ଗଲେଣି । ଏବେ ପଚାରିଲେ ହେଲେ ହେଉ ନହେଲେ ନାହିଁ ଭଳି କର୍ମୀଙ୍କୁ ଉତ୍ତର ଦେଉଛନ୍ତି। 

Advertisment

କେହି ଜାଣି ନାହାନ୍ତି ଓଡିଶା ଉପରେ କେବେ ଏଆଇସିସିର ଶୁଭ ଦୃଷ୍ଟି ପଡିବ ଆଉ ରାଜ୍ୟ କଂଗ୍ରେସକୁ ନୂଆ ସଭାପତି ମିଳିବ। ରାଜ୍ୟରେ କଂଗ୍ରେସର ସଂଗଠନ ନଥିବା ବେଳେ କେବଳ ଦୋଷ ଛଡ଼ାଇବା ପାଇଁ ନାଁ କୁ ମାତ୍ର ଷ୍ଟିୟରିଂ କମିଟି ଗଠନ କରିଥିଲେ। ଯେଉଁ କମିଟି ଛଅ ମାସ ଭିତରେ କେବେ ବି କଂଗ୍ରେସର ଗାଡିକୁ ଦୁଇ ପାଦ ଆଗକୁ ନେବାକୁ ଚେଷ୍ଟା କରିନି । 

ରାଜ୍ୟ କଂଗ୍ରେସକୁ ବିପଦ ପଡିଥିବା ବେଳେ ଝାଡ଼ଖଣ୍ଡ ନିର୍ବାଚନରେ ହାରିବା ପରେ ପ୍ରଭାରୀ ଅଜୟ କୁମାରଙ୍କ ଓଡ଼ିଶାରେ ଆଉ ଦେଖା ନାହିଁ । ଏହା ଭିତରେ ଛଅ ମାସ ହେବ କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ ଅଙ୍କ ଛିଣ୍ଡୁନଥିବାରୁ ବିଳମ୍ବ ହେବାରେ ଲାଗିଛି । ଏସବୁ ଭିତରେ ଦିଲ୍ଲୀରେ ଉଦଘାଟନ ହୋଇଛି କଂଗ୍ରେସର ନୂଆ ଅଫିସ ଇନ୍ଦିରା ଭବନ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । କାର୍ଯ୍ୟକ୍ରମ ପରେ ଏଆଇସିସି ସଭାପତି ମଲିକାର୍ଜୁନ ଖଡଗେ ଏବଂ ବରିଷ୍ଠ ନେତାଙ୍କୁ ଭେଟି ରାଜ୍ୟ କଂଗ୍ରେସର ସଭାପତି ନାଁ ତୁରନ୍ତ ଘୋଷଣା କରିବାକୁ ଦାବି କରିବେ। 

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୨୧ ତାରିଖରେ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲା ଏଆଇସିସି । ବଡ଼ କାର୍ଯ୍ୟକ୍ରମ ନଥିବାରୁ କଂଗ୍ରେସ ରାଜ୍ୟରେ ଦିଗହରା ହୋଇପଡିଛି । ଏପରିକି କଂଗ୍ରେସ କର୍ମୀଙ୍କ ମନୋବଳ ଭାଙ୍ଗି ଗଲାଣି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବାରୁ ଏବେଠାରୁ କଂଗ୍ରେସ ସଂଗଠନକୁ ମଜଭୁତ ନକଲେ କଂଗ୍ରେସ ପ୍ରତି କର୍ମୀଙ୍କ ଆଉ ଭରସା ରହିବନାହିଁ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ।