କନକ ବ୍ୟୁରୋ: ରାଜ୍ୟରେ ରାଜନୈତିକ ଉଷ୍ଣତା ବଢିକି ଥିବାବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଜରାସ୍ତାରେ ଆନ୍ଦୋଳନ କରୁଛି । ହେଲେ କେବଳ ଆନ୍ଦୋଳନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି ଦଳ । ସାଂଗଠନିକ ଜିଲ୍ଲାରେ କିନ୍ତୁ କଂଗ୍ରେସ ଏବେ ବି ମୁଣ୍ଡ ଟେକି ଛିଡ଼ା ହେଇପାରୁନି । ଜିଲ୍ଲା ସ୍ତରର କାର୍ଯ୍ୟକ୍ରମ କରିବା ପାଇଁ ରାଜଧାନୀରୁ ଯାଉଛନ୍ତି ନେତା । ଏପର୍ଯ୍ୟନ୍ତ ଜିଲ୍ଲା ସଭାପତି ଚୟନ କରିପାରିନି ଦଳ । ଯିଏ ଦଳର ସଙ୍ଗଠନକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିପାରିବ ।
କେବଳ ସଂଯୋଜକଙ୍କୁ ଜିଲ୍ଲା ଦାୟିତ୍ୱ ଦେଇ ବସି ପଡ଼ିଛନ୍ତି ଶୀର୍ଷ ନେତୃତ୍ୱ । ପଞ୍ଚାୟତ ସଭାପତି, ବ୍ଲକ ସଭାପତି କିଛି ବି ଘୋଷଣା କରିପାରିନି ଦଳ । ତେବେ ଜିଲ୍ଲା ସଂଯୋଜକ, ପିସିସି କର୍ମକର୍ତ୍ତା ଓ ପର୍ଯ୍ୟବେକ୍ଷକ ମାନେ ସମନ୍ୱୟ ରକ୍ଷାକରି ବ୍ଲକ ସଭାପତିଙ୍କ ଚୂଡ଼ାନ୍ତ ତାଲିକା ପିସିସି ପାଖରେ ୨୫ଅଗଷ୍ଟ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁଇ ମାସ ଭିତରେ ସବୁ ଘୋଷଣା ହେବ ବୋଲି କହିଛନ୍ତି ପିସିସି ସଭାପତି ।
ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି କଂଗ୍ରେସ । ଅକ୍ଟୋବର ୨ରୁ କଂଗ୍ରେସ ମାଲକାନଗିରିରୁ ଆରମ୍ଭ କରିବ ପଦଯାତ୍ରା । ବର୍ଷେ ବ୍ୟାପୀ ଚାଲିବ ଏହି ପଦଯାତ୍ରା । ତିନିଟି ପର୍ଯ୍ୟାୟରେ ପଦଯାତ୍ରା ହେବ । ୧୪୭ ନିର୍ବାଚନ ମଣ୍ଡଳୀକୁ ଛୁଇଁବ ଏହି ପଦଯାତ୍ରା । ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ବି ପଦଯାତ୍ରାରେ ସାମିଲ କରିବାକୁ ଯୋଜନା କରୁଛି ଦଳ ।
ଜିଲ୍ଲା ସଂଗଠନକୁ ରାହୁଲ ଗାନ୍ଧୀ ଅଧିକ ଗୁରୁତ୍ୱ ଦେଇ ଆଗକୁ ବଢିବାକୁ ଚାହୁଥିବା ବେଳେ ଓଡ଼ିଶାରେ କିନ୍ତୁ ତୃଣମୂଳସ୍ତରରୁ ସଜାଡ଼ି ହେଇପାରୁନି ଦଳୀୟ ସଂଗଠନ । ଦାୟିତ୍ୱ ନେବାପାଇଁ ଅନେକ ଆଶାୟୀ ଥିବାବେଳେ ସଂଗଠନ ଘୋଷଣାରେ ବିଳମ୍ବ ହେଉଥିବାରୁ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।