କନକ ବ୍ୟୁରୋ: ଓଡ଼ିଶାର ଗୋପାଳପୁର ସମୁଦ୍ରକୂଳରେ ଗଣଦୁଷ୍କର୍ମ ଭଳି ଘଟଣା ଘଟିବା ପରେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛି କଂଗ୍ରେସ । ଏନେଇ ଆଜି ଜାତୀୟ ସ୍ତରରେ ଅଳକା ଲାମ୍ବାଙ୍କ ସହିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ମିନାକ୍ଷୀ ବାହିନୀପତି ପ୍ରେସମିଟ୍ କରିବା ପରେ ଏବେ ଗୋପାଳପୁର ମାମଲାରେ କଂଗ୍ରେସ ଗଠନ କରିଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ୫ ଜଣିଆ ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଯେଉଁଥିରେ କଂଗ୍ରେସ ନେତ୍ରୀ ଦୀପା ଦାଶମୁନସୀଙ୍କୁ ଆବାହକ ଭାବେ ରଖାଯାଇଥିବାବେଳେ, ସାଂସଦ ରଞ୍ଜିତ ରଞ୍ଜନ, ପରିଣିତୀ ସିନ୍ଦେ, ସାଂସଦ ଏସ୍ ଜ୍ୟୋତିମଣି ଏବଂ ଶୋଭା ଓଝା ସଦସ୍ୟ ଭାବେ ଟିମରେ ରହିଛନ୍ତି । ଏହି ଟିମ୍ ଓଡ଼ିଶା ଆସି ସ୍ଥିତି ଅନୁଧ୍ୟାନ କରିବା ସହିତ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି ।

Advertisment

ସୋଫିଆ କଲେ ପ୍ରେସମିଟ୍

ଏହାପୂର୍ବରୁ ଗୁରୁବାର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପ୍ରେସମିଟ୍ କରିବା ସହିତ ରାଜ୍ୟ ସରକାରଙ୍କ ଉପର ବର୍ଷିଛନ୍ତି । ସିଧା ସିଧା ପେପର ଦେଖାଇ ସୋଫିଆ ରାଜ୍ୟରେ ବଢୁଥିବା ଅପରାଧକୁ ନେଇ ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି । ଦିନକୁ ଦିନ ରାଜ୍ୟରେ ଆଇନଶ଼ଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି ବୋଲି କହି ମୋହନ ସରକାରକୁ ତୀର ମାରିଛନ୍ତି ସୋଫିଆ  ।

SOFIA
SOFIA Photograph: (KANAK NEWS)

ସେପଟେ ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ କିଭଳି ଉଦ୍ୟମ କରିଥଇଲେ ତାହା ସାମ୍ନାକୁ ଆସିଛି । ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ ଗର୍ଭ ନିରୋଧକ ସାମଗ୍ରୀ ବ୍ୟବହାର କରିଥିଲେ ବୋଲି ତଥ୍ୟ ଦେଇଛନ୍ତି ଏମକେସିଜି ମେଡିକାଲ କଲେଜର ଡାକ୍ତର ସୁଦୀପା ଦାସ । ଯିଏକି ପୀଡ଼ିତାଙ୍କର ଡାକ୍ତରୀ ମାଇନା କରିଥିଲେ । ତେବେ ବର୍ତ୍ତମାନ ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଛାନଭିନ୍ ଜାରି ରହିଛି । ସେଦିନର ଘଟଣା ପାଇଁ ସାକ୍ଷୀ ସଂଗ୍ରହ କରୁଛି ତଦନ୍ତକାରୀ ସଂସ୍ଥା । ସେପଟେ ୧୦ ଜଣ ଅଭିଯୁକ୍ତଙ୍କ ଡିଏନଏ ସାମ୍ପୁଲ୍ ନେଇଛି ସିଏଡବ୍ଲ୍ୟୁ । ସୂଚନା ମିଳିଛି ଯେ, ପ୍ରଥମ ପର୍ଯ୍ୟାୟରେ ସିଏଡବ୍ଲ୍ୟୁ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ । ଆଉ ଏହାପରେ ନାବାଳିକ ଅଭିଯୁକ୍ତଙ୍କୁ ଆଣିବା ପ୍ରକ୍ରିୟା ଆରମ୍ଭ କରାଯିବ । ବର୍ତ୍ତମାନ ଅଭିଯୋଗକାରିଣୀଙ୍କ ଅଡିଓ ଏବଂ ଭିଡିଓ ବୟାନ ରେକର୍ଡ କରାଯାଇଛି । ଏହାସହ ସମସ୍ତ ଅଭିଯୁ୍କ୍ତଙ୍କର ମଧ୍ୟ ଅଡିଓ ଭିଡିଓ ବୟାନ ରେକର୍ଡ ହୋଇଛି ।

gangrape-allegation-on-young-woman-at-gopalpur-beach
gangrape-allegation-on-young-woman-at-gopalpur-beach Photograph: (KANAK NEWS)

ସୂଚନାଯୋଗ୍ୟ ଯେ, ଗତ ତିନି ଦିନ ତଳେ ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଯୁବତୀ ଜଣକ ନିଜର ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବାବେଳେ ସେଠାରେ  ୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଘେରିଯାଇଥିଲେ । ଆଉ ଏହାପରେ ସେଠାରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହାପରେ ପୁଲିସ ଏହି ଘଟଣାରେ  ୧୦ ଜଣଙ୍କୁ ଗିରଫ କରିଥିଲା ।