କନକ ବ୍ୟୁରୋ: ମୁହଁ ମାଡ଼ି ତଳେ ପଡ଼ିଥିବା କଂଗ୍ରେସକୁ ସାଧାରଣ ନିର୍ବାଚନ ପରେ ବଳ ଦେଇଥିଲେ ଭକ୍ତ ଦାସ । କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ ଓଡ଼ିଶା କଂଗ୍ରେସର ନବକଳେବର କଲେ ଓ ଭକ୍ତ ଦାସଙ୍କ ଭଳି ଜଣେ ଟାଣୁଆ ସଙ୍ଗଠକଙ୍କୁ ଦେଲେ ଦାୟିତ୍ବ । ଭକ୍ତ ବି ପୂରା ଦମରେ ସଙ୍ଗଠନକୁ ସଜାଡ଼ିବାକୁ ଅଣ୍ଟା ଭିଡ଼ିଲେ । ହେଲେ ମାସ କେତେଟା ଯାଇନି, କଂଗ୍ରେସକୁ ପୁରୁଣା ରୋଗ ଫେରିଛି । ଦଳ ଭିତରେ ଧୀରେ ଧୀରେ ଭକ୍ତ ବିରୋଧୀ ସ୍ବର ତେଜିଲାଣି । ଉପରକୁ ଚିକ୍ ଚିକ୍ ଦିଶୁଥିବା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭିତରେ ଏବେ ଅସନ୍ତୋଷ ଦାନା ବାନ୍ଧୁଛି । ନିକଟରେ ବିଧାୟକ ରମେଶ ଜେନା ଯୁବ-ଛାତ୍ରଙ୍କୁ ନେଇ କରିଥିବା ସଭା ଗୋଟିଏ ସଙ୍କେତ ମାତ୍ର ।
କେବଳ ରମେଶ ନୁହଁନ୍ତି, କଂଗ୍ରେସର ଅନେକ ଛାମୁଆ ନେତା ରାଜଧାନୀରେ ମେଳି କଲେଣି । କିଛି ବରିଷ୍ଠ ନେତାଙ୍କ ଘରେ ନିୟମିତ ବୈଠକ ବସୁଛି । ମଉକା ଦେଖି ବିରୋଧୀ ଗୋଷ୍ଠୀ ଚଉକା ମାରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ଚୟନ ଯଦି ତାଙ୍କ ସପକ୍ଷରେ ନ ଯାଏ, ତେବେ ଏହା ବିସ୍ଫୋରକ ରୂପ ନେଇପାରେ ।
ଅନ୍ୟପକ୍ଷରେ ଯେଉଁ ଚିତ୍ରଟି ଏବେ ଜଳ ଜଳ ଦିଶିଲାଣି, ତାହା ହେଉଛି ବଡ଼ ବଡ଼ ସଭାସମିତି ଛାଡ଼ିଦେଲେ, ଅନ୍ୟଠି ବରିଷ୍ଠଙ୍କ ଦେଖା ମିଳୁନି । ନା ନିଜ ନିର୍ବାଚନମଣ୍ଡଳୀରେ ସକ୍ରିୟ ଅଛନ୍ତି, ନା ରାଜ୍ୟ କାର୍ଯ୍ୟାଳୟରେ ଭକ୍ତଙ୍କ କଡ଼ରେ ବସି ସଂଗଠନ ସଜାଡିବାରେ ନିୟୋଜିତ ଅଛନ୍ତି । ରାଜନୈତିକ ସମୀକ୍ଷକ କହିଲେ, ନେତୃତ୍ବ ବଦଳିଲେ ସିନା, ଅଭ୍ୟାସ ବଦଲାଇପାରୁନାହାନ୍ତି ନେତା ।
ପ୍ରମୁଖ ବିରୋଧୀ ବିଜୁ ଜନତା ଦଳ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ମହିଳା ସୁରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଜେଡିକୁ ପଛରେ ପକାଇ କଂଗ୍ରେସ ଆଗକୁ ଯାଇଛି । ଜାତୀୟସ୍ତରରେ ଧାରଣା ହେଉଛି, ଯେମିତି ଓଡ଼ିଶାରେ ବିଜେଡି ଛିଡୁଛି, କଂଗ୍ରେସ ବଢ଼ୁଛି । ରାହୁଲଙ୍କ ଓଡ଼ିଶା ଗସ୍ତ ଏହି ଚର୍ଚ୍ଚାକୁ ବଳ ଦେଉଛି । ହେଲେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ନିରେଖି ଦେଖିଲେ ଜଣାପଡ଼ୁଛି, ଏ ସ୍ବପ୍ନକୁ ସାକାର ପାଇଁ ଭକ୍ତଙ୍କ ପ୍ରସ୍ତୁତିରେ ଅଭାବ ଜଳ ଜଳ ।